କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଲମପୁର ଅଞ୍ଚଳର ଜଣେ ପରିଚିତ, ସରଳ ତଥା ଶାନ୍ତିପ୍ରିୟ ବ୍ୟବସାୟୀ ସ୍ଵର୍ଗତ ରୂପ ସିଂହ ରାଜପୁରୋହିତଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ତଥା ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଵର୍ଗତ ରୂପ ସିଂହ ରାଜପୁରୋହିତ ୧ ଫେବୃଆରୀ ୧୯୪୫ରେ ରାଜସ୍ଥାନର ନରୱା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୬୮ ମସିହାରେ ସେ କର୍ମସଂସ୍ଥାନ ଅନ୍ୱେଷଣରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାସ୍ଥିତ କଲମପୁରକୁ ଆସିଥିଲେ । ପ୍ରଥମେ ସେ ସ୍ଥାନୀୟ ବ୍ୟବସାୟୀ ଜୁନାଗଡ଼ ସ୍ଥିତ ଦ୍ଵାରିକା ଅଗ୍ରୱାଲ ପାଖରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ନିଜର ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସ୍ଵାଧୀନ ଭାବେ ବ୍ୟବସାୟ ଆରମ୍ଭ କରିଥିଲେ। କଲମପୁର ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ସେ କୃଷିକାର୍ଯ୍ୟ କରିବା ସହ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଧାନ ସଠିକ୍ ମୂଲ୍ୟରେ କ୍ରୟ କରି ଚାଷୀକୂଳର ଦୁଃଖସୁଖର ସାଥୀ ପାଲଟିଥିଲେ। ତାଙ୍କର ସରଳତା, ମିଷ୍ଟଭାଷୀ ଗୁଣ ଓ ଶାନ୍ତିପୂର୍ଣ୍ଣ ଆଚରଣ ଯୋଗୁଁ ସେ ସମଗ୍ର ଅଞ୍ଚଳରେ ଶ୍ରଦ୍ଧାଭାଜନ ହୋଇପାରିଥିଲେ। ବୟସାଧିକ କାରଣରୁ ସେ ପରବର୍ତ୍ତୀ ସମୟରେ ବ୍ୟବସାୟର ସମସ୍ତ ଦାୟିତ୍ୱ ନିଜ ପୁତ୍ରମାନଙ୍କୁ ହସ୍ତାନ୍ତର କରି ନିଜ ପୈତୃକ ଗ୍ରାମ ନରୱାକୁ ଫେରିଯାଇଥିଲେ। ପରେ ପରିବାର ବର୍ଗ ସହ ପବିତ୍ର ବୃନ୍ଦାବନ ଧାମ ଯାଇ ଶ୍ରୀକୃଷ୍ଣଙ୍କ ଦର୍ଶନ କରିଥିଲେ। ପ୍ରାୟ ୧୫ ଦିନ ପରିବାର ସହ ଆନନ୍ଦମୟ ସମୟ ବିତାଇ ଫେରିବା ବାଟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା। ଡାକ୍ତରଖାନା ଯିବା ପୂର୍ବରୁ ସେ ନିଜ ଜନ୍ମମାଟି ନରୱା ଗ୍ରାମକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଗାଁରେ ପହଞ୍ଚିବା ପରେ ଗତ ୪ ସେପ୍ଟେମ୍ବର ୨୦୨୬ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ କଲମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ସୁପୁତ୍ର ବଜରଙ୍ଗ ଲାଲ ରାଜପୁରୋହିତ, ମୁକେଶ ସିଂହ ରାଜପୁରୋହିତ, ହନୁମାନ ରାଜପୁରୋହିତ, ଅଶୋକ ସିଂହ ରାଜପୁରୋହିତ, ଜଗଦୀଶ ସିଂହ ରାଜପୁରୋହିତ ଏବଂ ନାତି ମନୀଷ ସିଂହ, ରାହୁଲ ସିଂହ, ଆଶିଷ ସିଂହ ରାଜପୁରୋହିତଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତାସହ ଅଞ୍ଚଳର ବୁଦ୍ଧିଜୀବୀ ଓ ଗ୍ରାମବାସୀ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ସ୍ଵର୍ଗତ ଆତ୍ମା ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
