ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ଜିଲ୍ଲା ପରିଷଦ ରାୟଗଡ ଆନୁକୂଲ୍ୟରେ ଆଜି “ଏକ ପେଡ୍ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ରାୟଗଡ ବ୍ଲକ ହାଲୁଆ ଗ୍ରାମ ପଞ୍ଚାୟତ ର ଉପରଶାଙ୍କେଶ ନିକଟସ୍ଥ ପର୍ଯ୍ୟଟନ ସ୍ଥଳୀଠାରେ ବୃକ୍ଷ ରୋପଣ କରାଯାଇଥିଲା। ରାୟଗଡ ଜିଲ୍ଲାପାଳ ନିଜ ମାଁ  ସୁପ୍ରିୟା କୁଲକର୍ଣିଙ୍କ ନାମରେ ଗଛଟିଏ ରୋପଣ କରିଥିଲେ। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ରାୟଗଡ ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଓହଲ, ଉପଜିଲ୍ଲାପାଳ  ମୃଣାଳିକା ରାଠୋଡ, ବନ ବିଭାଗର ଏସିଏଫ୍ ସଚ୍ଚିଦାନନ୍ଦ ସେଠୀ, ରାୟଗଡ ବ୍ଲକର ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା, ବିଡିଓ ସୁଜିତ୍ କୁମାର ମିଶ୍ର, ଏବିଡିଓ କାଳୁ ଚରଣ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର କୁମାର ରଥ, କନିଷ୍ଠ ଯନ୍ତ୍ରୀ ରଞ୍ଜିତ ଜେନା , ସାମାଜିକ କର୍ମୀ ତଥା ବିଧାୟକ ପାର୍ଥୀ ବସନ୍ତ କୁମାର ଉଲ୍ଲାକା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁଲେଶିକା, ସନ୍ଧ୍ୟା ପୁଲାକା, ହାଲୁଆ ସରପଞ୍ଚ ତାମାରାଓ ବିଡିକା ସମେତ ରାୟଗଡ ବ୍ଲକର କର୍ମକର୍ତ୍ତା, ହାଲୁଆ ଗ୍ରାମ ପଞ୍ଚାୟତର ସମସ୍ତ ନିର୍ବାଚିତ ପ୍ରତିନିଧି ନିଜ ମାଁଙ୍କ ନାମରେ ପର୍ଯ୍ୟଟନ ସ୍ଥଳୀରେ ଚାରା ରୋପଣ କରିଥିଲେ।  ନିଜ ମାଁ ଙ୍କ ଉଦ୍ଦ୍ୟେଶ ରେ ବୃକ୍ଷଟିଏ ଲଗାଇଲେ ଏକ ଭାବାତ୍ମକ ବନ୍ଧନ ସୁଦୃଢ଼ ହେବା ସହ ପରିବେଶ ସନ୍ତୁଳନ ହୋଇପାରିବ। ସ୍ୱଚ୍ଛ ବାୟୁ, ଜଳବାୟୁ, ବୃଷ୍ଟିପାତ ଆଦି ଦିଗରେ ବିଶେଷ ପରିବର୍ତ୍ତନ ସମ୍ଭବ ବୋଲି ଜିଲ୍ଲାପାଳ କହିଛନ୍ତି। ବର୍ଷର ବିଭିନ୍ନ ସମୟରେ ହାଲୁଆ ଅଞ୍ଚଳକୁ ଲୋକେ ଭୋଜି ତଥା ପର୍ଯ୍ୟଟନ ପାଇଁ ଆସନ୍ତି। ଝଂଜାବତି ତଟରେ, ଜଙ୍ଗଲ, ଜଳ, ମୁକ୍ତ ପରିବେଶ ଭଳି ପ୍ରକୃତିର ଅନେକ ସମ୍ଭାର ପୂରି ରହିଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଆଦେଶ କ୍ରମେ ବିଜିବିଓ ଯୋଜନାରେ ଛଅ ଲକ୍ଷ ଟଙ୍କା ବିନିଯୋଗରେ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯାଇଛି। ପୁନଃ ପାଞ୍ଚ ଲକ୍ଷ ଟଙ୍କା ବିନିଯୋଗ କରି ଏହାର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଡିଓ ସୁଜିତ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଜିଲ୍ଲାର ଚିହ୍ନତିକୃତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ଏକ ଅଭିନବ ଯୋଜନା ପ୍ରସ୍ତୁତ କରୁଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରକାଶ କରିଛନ୍ତି। ସେଠାରେ ରୋପଣ କରାଯାଇଥିବା ବୃକ୍ଷ ସହ ନିର୍ମିତ ସମ୍ପଦର ଯତ୍ନ ଓ ରକ୍ଷଣାବେକ୍ଷଣ ଦାୟୀତ୍ଵ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ବହନ କରିବେ ବୋଲି କହିଛନ୍ତି। ସରପଞ୍ଚ ତାମାରାଓ ବିଡ଼ିକା ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *