କଳାହାଣ୍ଡିରେ ଓଡ଼ିଶା ବନ୍ଦର ପ୍ରଭାବ ; ରାସ୍ତାରେ ଅଟକିଲା ଶତାଧିକ ଗାଡ଼ି, ବନ୍ଦ ରହିଲା ଦୋକାନବଜାର

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ର ପ୍ରଭାବ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ପରିଲକ୍ଷିତ ହୋଇଛି। ବନ୍ଦକୁ ସମର୍ଥନ କରି କଂଗ୍ରେସ,ସିପିଆଇ ସମେତ ବାମପନ୍ଥୀ ଦଳର କର୍ମୀ ଓ ସମର୍ଥକମାନେ ଜିଲାର ଜୁନାଗଡ଼, ଭବାନୀପାଟଣା, କେସିଙ୍ଗା, ଧର୍ମଗଡ଼ ଆଦି ସହରରେ ପିକେଟିଂ ଓ ବିକ୍ଷୋଭ କରିଥିଲେ। ଆନ୍ଦୋଳନକାରୀମାନେ ବିଭିନ୍ନ ରାସ୍ତାରେ ଅବରୋଧ କରିବା ସହ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ-୨୬ରେ ମଧ୍ୟ ଯାତାୟାତ ବନ୍ଦ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଗାଡ଼ି ଅଟକି ରହିଥିଲା। ବନ୍ଦର ପ୍ରଭାବରେ ବିଭିନ୍ନ ସହରର ଦୋକାନବଜାର ମଧ୍ୟ ବନ୍ଦ ରହିଥିବା ଦେଖାଯାଇଥିଲା। ବିକ୍ଷୋଭକାରୀମାନେ ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଭଳି ସ୍ଲୋଗାନ ଦେଇଥିଲେ। ଏହାସହ ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଅଧିନିୟମ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କୁ ବହିଷ୍କାର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଏସ୍‌ଆଇଆର୍‌ ପ୍ରତ୍ୟାହାର ଆଦି ଦାବି ଉଠାଇଥିଲେ। ଅନ୍ୟପକ୍ଷରେ କଳାହାଣ୍ଡି ଜିଲାରେ ନିକଟରେ ହୋଇଥିବା ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ଚାଷୀ ଓ ପ୍ରଭାବିତ ପରିବାରଙ୍କୁ ଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି। ଏନେଇ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ ବୋଲି ବରିଷ୍ଠ ସିପିଆଇ ନେତା ଦାମୋଦର ବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *