କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶ ରାମ ବାଗ) : କଳାହାଣ୍ଡିର ଅଗ୍ରଣୀ ସାମାଜିକ ସଂଗଠନ ‘ଡିଫାଇନ କଳାହାଣ୍ଡି’ର ସଂଯୋଜକ ତଥା ଓଡ଼ିଶା ଜନତା କଂଗ୍ରେସ (ଓଜେସି) କଳାହାଣ୍ଡି ଜିଲ୍ଲା ସଭାପତି ଯୁବ ନେତୃତ୍ବ ଜୟନ୍ତ ନାଏକ (୪୮)ଙ୍କ ଆଜି ଅକାଳ ବିୟୋଗ ଘଟିଛି। ସେ ଗତ କିଛି ଦିନ ଧରି ଅସୁସ୍ଥତା କାରଣରୁ ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ ନିଆଯାଇଥିଲା, ମାତ୍ର ସେଠାରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଜୟନ୍ତ ନାଏକ କଲମପୁର ବ୍ଲକ ଅନ୍ତର୍ଗତ ବଡ଼କୁଟ୍ରୁ ପଞ୍ଚାୟତର ବର୍ଛି ଗ୍ରାମ ନିବାସୀ ସ୍ଵର୍ଗତ ଶିକ୍ଷକ ଅର୍ଜୁନ ନାଏକ ଏବଂ ସ୍ବର୍ଗତ ପାର୍ବତୀ ନାଏକଙ୍କ ଦ୍ବିତୀୟ ସନ୍ତାନ ଥିଲେ। ଛାତ୍ର ଜୀବନରୁ ହିଁ ସେ ବିଭିନ୍ନ ସାମାଜିକ ଓ ଛାତ୍ର ସଂଗଠନ ସହିତ ଜଡ଼ିତ ରହି ଆସୁଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ସେ ଭବାନୀପାଟଣା ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଜଣେ ଦୃଢ଼ ସଂଗଠକ ଏବଂ ରାଜନୈତିଜ୍ଞ ଭାବେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା। ‘ଡିଫାଇନ କଳାହାଣ୍ଡି’ର ସଂଯୋଜକ ଦାୟିତ୍ବ ତୁଲାଇବା ସହିତ ସେ ନିଃସ୍ବାର୍ଥପର ଭାବେ ନିରନ୍ତର ସମାଜସେବା କରିଆସୁଥିଲେ। ତାଙ୍କ ନେତୃତ୍ବରେ ଜିଲ୍ଲାର ବହୁ ଅସହାୟ, ଗରିବ ଓ ନିରୀହ ପରିବାର ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ବିଭିନ୍ନ ସହାୟତା ପାଇ ଉପକୃତ ହେଉଥିଲେ। ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ କଲମପୁର ବ୍ଲକ ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ଡିଫାଇନ କଳାହାଣ୍ଡିର ପ୍ରତିଷ୍ଠାତା ସମାଜସେବୀ ମଧୁସୂଦନ ମହାନ୍ତିଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି।
