କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଚାରବାହାଲ ଗ୍ରାମର ଆଇନଜୀବୀ ମାନସ ରଞ୍ଜନ ସିଂ (୪୭)ଙ୍କ ଅକାଳ ବିୟୋଗ ଘଟିଛି। ଗୁରୁବାର ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା। ଶୁକ୍ରବାର ତାଙ୍କ ମୃତଦେହ ପୈତୃକ ଗ୍ରାମ ଚାରବାହାଲରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସ୍ୱର୍ଗତ ମାନସ ରଞ୍ଜନ ସିଂ ଦୀର୍ଘବର୍ଷ ଧରି କୋକସରା ଜେଏମ୍ଏଫ୍ସି କୋର୍ଟରେ ଜଣେ ଦକ୍ଷ ଆଇନଜୀବୀ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଅତ୍ୟନ୍ତ ମେଳାପୀ, ପରୋପକାରୀ ଓ ସହୃଦୟ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗ ଖବର ପାଇ ଆତ୍ମୀୟସ୍ୱଜନ, ଜ୍ଞାତିକୁଟୁମ୍ବ ଓ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ତାଙ୍କ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟପଟେ ତାଙ୍କ ଅକାଳ ବିୟୋଗରେ କୋକସରା ଓକିଲ ସଂଘ ଓ କୋର୍ଟ କର୍ମଚାରୀମାନଙ୍କ ପକ୍ଷରୁ କୋର୍ଟ ପରିସରରେ ଗଭୀର ଶୋକ ପ୍ରକାଶ କରାଯାଇଛି। ଜଣେ ନିଷ୍ଠାବାନ ଆଇନଜୀବୀ ଓ ଭଲ ମଣିଷଙ୍କୁ ହରାଇ ଅଞ୍ଚଳବାସୀ ମର୍ମାହତ ହୋଇଛନ୍ତି।
