ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ଯାତ୍ରୀଙ୍କ ଦୁର୍ଦ୍ଦଶା ଦୂର କରିବାକୁ ନିର୍ମାଣ ହେଲା ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ। ଖର୍ଚ୍ଚ ହେଲା ୬ କୋଟି ୫୫ ଲକ୍ଷ ଟଙ୍କା। ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହେଲା। କିନ୍ତୁ ବିଡ଼ମ୍ବନା, ଏହି ବସ୍ଷ୍ଟାଣ୍ଡର ସେବା ପାଇବାରୁ ଏବେ ବି ବଞ୍ଚିତ ଯାତ୍ରୀ। ନିର୍ମାଣ ଶେଷ ହେବାର ପ୍ରାୟ ୬ ମାସ ପରେ ମଧ୍ୟ ଉଦ୍ଘାଟନ ହୋଇନଥିବାରୁ ସରକାରୀ ଅର୍ଥର ବିନିଯୋଗ ଓ ପ୍ରକଳ୍ପର ଉଦ୍ଦେଶ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍ ମୁଖ୍ୟାଳୟ ଉପରେ ନିର୍ଭର କରନ୍ତି ଅନେକ ପଞ୍ଚାୟତର ଲୋକ। ଦୈନନ୍ଦିନ କାର୍ଯ୍ୟ, ଶିକ୍ଷା, ଚିକିତ୍ସା ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଏଠାକୁ ଆସୁଥିବା ଲୋକଙ୍କ ଯାତାୟାତର ପ୍ରମୁଖ ମାଧ୍ୟମ ବସ୍। ହେଲେ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନଥିବାରୁ ଯାତ୍ରୀଙ୍କୁ ରାସ୍ତାକଡ଼ରେ ଅପେକ୍ଷା କରିବାକୁ ପଡ଼ୁଛି। ପ୍ରବଳ ଖରା, ବର୍ଷା ଓ ଧୂଳିଧୂଆଁ ମଧ୍ୟରେ ଯାତ୍ରୀଙ୍କ ଅବସ୍ଥା ଦୟନୀୟ ହେଉଛି। ଏହା କେବଳ ଯାତ୍ରୀଙ୍କ ସୁବିଧାର ଅଭାବ ନୁହେଁ, ବରଂ ସାଧାରଣ ଲୋକଙ୍କ ପାଇଁ ନିର୍ମିତ ଏକ ଜନହିତକର ପ୍ରକଳ୍ପର ବ୍ୟବହାରିକ ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ। ଟେଣ୍ଡର ଦସ୍ତାବିଜରୁ ଜଣାପଡ଼ିଛି ଯେ ବସ୍ଷ୍ଟାଣ୍ଡର ବାହ୍ୟ ବିଦ୍ୟୁତୀକରଣ ପାଇଁ ୧୯ ଲକ୍ଷ ୬୭ ହଜାର ୯୫ ଟଙ୍କାର ଆକଳନ କରାଯାଇଥିଲା। ଓଡ଼ିଶା ରାଜ୍ୟ ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍ ଲିମିଟେଡ୍ର ବୈଦ୍ୟୁତିକ ବିଭାଗ ଏହି ଟେଣ୍ଡର ପ୍ରକ୍ରିୟା ପରିଚାଳନା କରିଥିଲା। ଏବେ ବାହ୍ୟ ବିଦ୍ୟୁତୀକରଣ କାମ ମଧ୍ୟ ଶେଷ ହୋଇଥିବା ଜଣାପଡ଼ିଛି। ଏହା ସତ୍ତ୍ୱେ ବସ୍ଷ୍ଟାଣ୍ଡ କାହିଁକି ଯାତ୍ରୀଙ୍କ ପାଇଁ ଖୋଲାଯାଉନାହିଁ, ତାହା ଏବେ ମୁଖ୍ୟ ପ୍ରଶ୍ନ। ପ୍ରକଳ୍ପ ନିର୍ମାଣ ଶେଷ ହେବା ପରେ ଦାୟିତ୍ୱ ହସ୍ତାନ୍ତର ହୋଇଛି କି ନାହିଁ, ବିଦ୍ୟୁତ୍ ସଂଯୋଗ ଓ ଅନ୍ୟାନ୍ୟ ମୌଳିକ ସୁବିଧା ପୂର୍ଣ୍ଣାଙ୍ଗ ହୋଇଛି କି ନାହିଁ, ଏବଂ ଉଦ୍ଘାଟନ ପାଇଁ କେଉଁ ସ୍ତରରେ ନିଷ୍ପତ୍ତି ଅଟକିଛି, ସେ ସମ୍ପର୍କରେ ବିଭାଗୀୟ ସ୍ପଷ୍ଟୀକରଣ ଆବଶ୍ୟକ। ନିର୍ମାଣ କାମ ଶେଷ ହେବା ଓ ଜନସାଧାରଣଙ୍କୁ ସେବା ମିଳିବା ମଧ୍ୟରେ ଏତେ ଦୀର୍ଘ ବ୍ୟବଧାନ କାହିଁକି, ତାହାର ଉତ୍ତର ମିଳିବା ଦରକାର। ସରକାରୀ ପ୍ରକଳ୍ପର ସଫଳତା କେବଳ ନିର୍ମାଣରେ ନୁହେଁ, ଏହାର ସମୟୋଚିତ ବ୍ୟବହାର ଓ ଜନସାଧାରଣଙ୍କୁ ସେବା ଯୋଗାଣରେ ନିହିତ। ତେଣୁ ସମ୍ପୃକ୍ତ ବିଭାଗ ତୁରନ୍ତ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ସାର୍ବଜନୀନ କରିବା ସହ କାର୍ଯ୍ୟକ୍ଷମର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରୁ। ନଚେତ୍ ୬ କୋଟି ୫୫ ଲକ୍ଷ ଟଙ୍କାର ଏହି ଭିତ୍ତିଭୂମି ଯାତ୍ରୀଙ୍କୁ ସୁବିଧା ଦେବା ପରିବର୍ତ୍ତେ ଅବ୍ୟବହୃତ ସମ୍ପତ୍ତି ହୋଇ ରହିଯିବାର ଆଶଙ୍କା ରହିଛି।
