କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ବଙ୍ଗୋମୁଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପ୍ରୟାଗରାଜ ପଣ୍ଡା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କିଶନ କୁମାର ତାଣ୍ଡିଙ୍କ ସହ ଭାରତୀୟ ମହାକାଶ ଗଭେଷଣା ସଂସ୍ଥା (ଇସ୍ରୋ) ପରିଭ୍ରମଣ କରି ଫେରିଛନ୍ତି। ସୂଚନା ଯେ’ ଗତ ନଭେମ୍ବର ୨୦୨୪ ମସିହାରେ ଭୁବନେଶ୍ୱରଠାରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ମୋଟ ୭୧ ହଜାର ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୩୦ ଜିଲ୍ଲାରୁ ୩୦ ଜଣ ଛାତ୍ର ଛାତ୍ରୀ ଇସ୍ରୋ ଯିବା ପାଇଁ ମନୋନୀତ ହୋଇଥିଲେ। କଳାହାଣ୍ଡି ଜିଲ୍ଲାରୁ ପ୍ରୟାଗରାଜ ପଣ୍ଡା, ବିଜ୍ଞାନ ଶିକ୍ଷକଙ୍କ ସହ ଗତ ୨୪ ମଇ ରୁ ୨୮ ମଇ ପର୍ଯ୍ୟନ୍ତ ଇସ୍ରୋର ୟୁଆର ରାଓ ସାଟେଲାଇଟ ସେଣ୍ଟରେ, ଟେଲିମେ୍ଟ୍ରି ଏବଂ କମାଣ୍ଡିଙ୍ଗ ସେଣ୍ଟର ତଥା ଇସ୍ରୋର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଫେରିଛନ୍ତି। କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମର ଆଶିଷ କୁମାର ପଣ୍ଡାଙ୍କ ପୁଅ ହେଉଛନ୍ତି ପ୍ରୟାଗରାଜ। ଛାତ୍ରଙ୍କ ଏହି ସଫଳତା ପରେ ବିଦ୍ୟାଳୟର ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ ସମେତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ସଫଳତା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।


