ମ.ରାମପୁର ଠାରେ ଆର୍ଥିକ ସାକ୍ଷରତା ଓ ସଚେତନତା ତାଲିମ

ମ.ରାମପୁର /କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) :  ଏଲ ଟି ଆଇ ମାଇଣ୍ଡଟ୍ରି ସହାୟତା ଓ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ମ.ରାମପୁର ଗ୍ରାମ ପଞ୍ଚାୟତ ମିଶନ ଶକ୍ତି ସଭା ଗୃହରେ ଆର୍ଥିକ ସାକ୍ଷରତା ଓ ସଚେତନତା ତାଲିମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ବି ଏଲ୍ ଏଫ୍ ସଭାନେତ୍ରୀ ବାସନ୍ତୀ ସାହୁ, ବିପିନ ବାରିକ ବ୍ଲକ ପ୍ରକଳ୍ପ ସଂଯୋଜକ ମମିତା ପୁଝାରୀ ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମଦାତା ପ୍ରକାଶ ଚନ୍ଦ୍ର ସାହୁ, ବ୍ଲକ ସଂଜୋଜିକା ଭାଗ୍ୟଶ୍ରୀ ରାଉତ ପ୍ରମୁଖ ଉଦ୍ ଘାଟନ କରିଥିଲେ। ଏହି ତାଲିମରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣ ର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ତାଲିମ କାର୍ଯ୍ୟକ୍ରମରେ ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚକୁ ଆକଳନ କରି ପରିବାରକୁ ଠିକ୍ ଭାବେ ପରିଚାଳନା କରିପାରିବେ ।ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବ୍ୟାଙ୍କ୍ ମାନଙ୍କରୁ ଋଣ ନେଇ ଆୟ ବୃଦ୍ଧି ଯୋଜନାରେ ଲଗେଇ ନିର୍ଦ୍ଧାରିତ କିସ୍ତି ମାଧ୍ୟମରେ ବିନା ଖିଲାପିରେ ଫେରସ୍ତ କରି ପରିବାରର ଆର୍ଥିକ ସ୍ଥାୟୀତ୍ବ ଆଣିପାରିବେ। କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନର ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ ।  ମମିତା ପୁଝାରୀ, ସବିତା ସ୍ୱାଇଁ, ଭାରତୀ ଶର୍ମା ଓ ମହାଶକ୍ତି ଫାଉଣ୍ଡେସନର ସମର୍ଣିତ ଗ୍ରାମ୍ୟ ବିକାଶ ପ୍ରକଳ୍ପର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି କର୍ମଶାଳାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ , ଗୋଷ୍ଠୀ ସହାୟିକା, କୃଷି ଉତ୍ପାଦକ ଗୋଷ୍ଠୀ,ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀ ରୁ ୪୮ଜଣ ସଦସ୍ୟା ଅଂଶ ଗ୍ରହଣ କରିଥିଲେ।