ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ମ.ରାମପୁରର ଇଷ୍ଟ ଦେବୀ ମା ଡୋକରୀଙ୍କ ଛତର ଯାତ୍ରା ଆସନ୍ତା ତିରିଶ ତାରିଖ ନବମୀ ତିଥି ଦିନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ସେବକ ସୂଚନା ଦେଇଛନ୍ତି । ଆଜି ମ.ରାମପୁର ରାଜବାଟିରେ ସାମ୍ବାଦିକ ସମ୍ମିଳନୀରେ ମା ଡୋକରୀ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ମୁଖ୍ୟ ସେବକ, ରାଜା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ସମ୍ପାଦକ ଯଶୋବନ୍ତ ସିଂହ ଦେଓ ସୂଚନା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ମୁଖ୍ୟ ସେବକ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ପାଇଁ ଏହି ଛତର ଯାତ୍ରାର ଆୟୋଜନ କରା ଯାଇଛି। ଜେନା ବୁଢା ମନ୍ଦିରରୁ ସକାଳ ପ୍ରାୟ ୬ଘଣ୍ଟା ସମୟରେ ଏହି ଛତର ଯାତ୍ରା ଆରମ୍ଭ ହୋଇ ବିଭିନ୍ନ ଛକରେ ଶ୍ରଦ୍ଧାଳୁ, ଭକ୍ତଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଦ୍ଧନା ସହ ବିଭିନ୍ନ ଲୋକ ନୃତ୍ୟ, ଲୋକ ବାଦ୍ୟର ସମାହାରରେ ଏକ ବିରାଟ ଶୋଭାଯାତ୍ରା କରି ମାଙ୍କ ବିଜୟ ଛତରକୁ ମା ଡୋକରୀ ମନ୍ଦିରକୁ ଅଣା ଯିବ ବୋଲି କହିଛନ୍ତି । ଏହି ଶୋଭା ଯାତ୍ରା ସମୟରେ କେହି ଭକ୍ତ ମାଁଙ୍କ ଉଦ୍ଦେଶ୍ୟରେ ରାଜ ରାସ୍ତାରେ ବଳୀ ନ ଦେବାକୁ ଅନୁରୋଧ କରା ଯାଇଛି । ଯଦି କେହି ମାଙ୍କ ଉଦ୍ଦେଶ୍ୟରେ ବଳୀ ଦେବାକୁ ଚାହାନ୍ତି, ମୁଖ୍ୟ ମନ୍ଦିର ବାହାରେ ଦେଇ ପାରିବେ ବୋଲି ସୂଚନା ମିଳିଛି । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଛତର ଯାତ୍ରା ଆରମ୍ଭ ହେଉ ଥିବାରୁ ଅଞ୍ଚଳବାସୀ ବହୁତ୍ ମାତ୍ରାରେ ଉତ୍ସାହିତ ଥିବା ସହ ମାଆଙ୍କ ଦର୍ଶନ ସହ ମାଆଙ୍କ ଆଶିର୍ବାଦ ଲାଭ କରନ୍ତୁ ବୋଲି ସମ୍ପାଦକ ଶ୍ରୀ ସିଂହ ଦେଓ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
