କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ/ଗଣେଶ ରାମ ବାଗ) : ଆଜି ପୋଟେସ ଗ୍ରାମର ଏକ ଚାଷ ଜମିରୁ ଗ୍ରାମର ଅଲେଖ ନିଆଲ ନାମକ(୫୩)ବର୍ଷ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଦେହଟି ଚାଷ ଜମିରେ ହିଁ ପଡିଥିଲା। ସକାଳେ ଘରେ ଜଳଖିଆ ଖାଇ ସାରିବା ପରେ ଅଲେଖ ନିଜ ଚାଷ ଜମିକୁ ଯାଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ସେ ଆଉ ଘରକୁ ଫେରି ନଥିଲା। ପରିବାର ଲୋକ ତାକୁ ଖୋଜା ଖୋଜି କରିବାବେଳେ ଚାଷ ଜମିରେ ତାର ମୃତ ଦେହ ପଡିଥିଲା। ସମ୍ପର୍କୀୟଙ୍କୁ ଏନେଇ ଖବର ଦେବା ପରେ ଘଟଣା ସ୍ଥଳରେ ପରିବାର ଲୋକ ଏବଂ ସମ୍ପର୍କୀୟମାନେ ପହଂଚିଥିଲେ। ଶବଟିକୁ ଧରି ଦେଲେ ତାର ଚମଡା ଉଠି ଯାଉଥିଲା। ତେଣୁ ପରିବାର ଲୋକ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ କରିବା ସହ କଲମପୁର ପୋଲିସ ନିକଟରେ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ପାରିପାର୍ଶ୍ଵକ ଅବସ୍ଥା ଦେଖିବା ପରେ ଶବକୁ ଜବତ କରିବା ତଦନ୍ତ ଆରମ୍ଭ କରିଥିଲେ। ଏହାସହ ପରିବାର ଲୋକଙ୍କ ସହ ମୃତ ଦେହର ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ବୁଝାଇଥିଲେ। ସନ୍ଧ୍ୟା ସାଢେ ୫ଟା ସୁଦ୍ଧା କୌଣସି ନିଷ୍ପତି ହୋଇନଥିବାବେଳେ ଘଟଣାସ୍ଥଳରେ ମୃତ ଦେହ ପଡି ରହିଛି। ଅନ୍ୟପଟେ କଲମପୁର ପୋଲିସ ଥାନା ଅଧୁକାରୀ ବିଶ୍ଵମ୍ବର କହଁର, ଏସ.ଆଇ ଶିବ ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଛନ୍ତି। ମୃତ ଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
