ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା/କ୍ରାନ୍ତିକ୍ଷେତ୍ର (ପୁରୁଷୋତ୍ତମ ସିଂହ ରାଜପୁତ) : ପରିବାର ପ୍ରତିପୋଷଣ ଓ ଭଲ ଦି’ ପଇସା ରୋଜଗାର କରିବା ଆଶାରେ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ କୋକସରା ବ୍ଲକ ଗମ୍ଭାରୀଗୁଡ଼ା ଗ୍ରାମର ତ୍ରିଲୋଚନ ମଙ୍ଗରାଜ (୩୯) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ତ୍ରିଲୋଚନ ଗତ କିଛି ମାସ ତଳେ କାମ ଅନ୍ୱେଷଣରେ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ କିଛି ଦିନ ହେବ ସେ ଅସୁସ୍ଥ ଥିବା ନେଇ ଘର ମାଲିକ ସୂଚନା ଦେଇଛନ୍ତି। ତେବେ ସେ ରହୁଥିବା ଘରର କବାଟ ଦୀର୍ଘ ସମୟ ଧରି ବନ୍ଦ ରହିଥିବା ଦେଖି ଘର ମାଲିକ ସନ୍ଦେହରେ କବାଟ ଖୋଲିଥିଲେ। ଘର ଭିତରେ ତ୍ରିଲୋଚନଙ୍କ ମୃତଦେହ ପଡ଼ିଥିବା ଦେଖି ସେ ତୁରନ୍ତ ଏନେଇ ମୃତକଙ୍କ ପରିବାର ଲୋକେ ଓ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ଆସନ୍ତାକାଲି ତ୍ରିଲୋଚନଙ୍କ ମୃତଦେହ ନିଜ ଭିଟାମାଟି ଗମ୍ଭାରୀଗୁଡ଼ାକୁ ଅଣାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *