କୋକସରା/କ୍ରାନ୍ତିକ୍ଷେତ୍ର : ୨୬ ନମ୍ବର ଜାତୀୟ ରାଜପଥର କୋକସରା-ଚିଲିଗୁଡା ମଝିରେ ଥିବା ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ଅନ୍ୟ ଏକ ଅଜଣା ବାଇକ୍ ଧକ୍କା ଦେବା ଫଳରେ ବାଇକ୍ରେ ଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଘୁମେରଗୁଡ଼ା ଗ୍ରାମର ଯାଦବ ମୋତିଆଲ (୬୫) ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ଆହତ ବ୍ୟକ୍ତି ଜଣକ ତାଙ୍କ ସାଥି ଖାମନ୍ତ ଘି (୪୦) ବୋଲି ସୂଚନା ମିଳିଛି। ମିଲିଥିବା ସୂଚନା ଅନୁଯାୟୀ, ଯାଦବ ଓ ଖାମନ୍ତ ଏକ ବାଇକ୍ ଯୋଗେ ଆମପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ଦାଗଡ଼ ଗ୍ରାମରୁ କୌଣସି କାମ ସାରି ନିଜ ଘରକୁ ଫେରୁଥିଲେ। ଏହି ସମୟରେ କୋକସରା ଓ ଚିଲିଗୁଡା ମଝିରେ ଥିବା ପେଟ୍ରୋଲ ପମ୍ପ ନିକଟରେ ତାଙ୍କ ବାଇକ୍କୁ ଅନ୍ୟ ଏକ ବାଇକ୍ ଧକ୍କା ଦେଇଥିଲା। ଫଳରେ ଉଭୟ ଯାଦବ ଓ ଖାମନ୍ତ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇ ଧକ୍କା ଦେଇଥିବା ବାଇକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଘଟଣା ଦେଖି ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ଯାଦବ ମୋତିଆଲଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ବେଳେ କୋକସରା ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ସନ୍ଧ୍ୟା ହେବା କାରଣରୁ ଗୁରୁବାର ସକାଳେ ଶବ ବ୍ୟବଚ୍ଛେଦ ହେବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
