ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସ୍ଥାପନା ଦିବସ ପାଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କେସିଙ୍ଗା ବ୍ଲକର ସମସ୍ତ ଏନ୍.ସି.ସି. ୟୁନିଟ୍ ମାନଙ୍କର ସମ୍ମିଳିତ ଉଦ୍ୟମ କ୍ରମେ ୭୭ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସ୍ଥାପନା ଦିବସ-୨୦୨୫ ସାମ୍ବିଧାନିକ ରୀତିନୀତି ଅନୁସାରେ ଆଡମ୍ବରରେ ସହକାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ କେସିଙ୍ଗା ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ରାଜେଶ କୁମାର ଅଗ୍ରଓ୍ବାଲ୍ ଯୋଗଦାନ କରି ଉପସ୍ଥିତ ଶିକ୍ଷାର୍ଥୀମାନଙ୍କୁ ନିସ୍ବାର୍ଥପର ଓ ନିଷ୍ଠାପର ଭାବରେ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିବାର ଦୃଢ ସଂକଳ୍ପ ନେଇ ଭାରତକୁ ଏକ ଭାରତ, ଶ୍ରେଷ୍ଠ ଭାରତ ରୂପେ ଗଢିବାରେ ସହାୟକ ହେବାକୁ ନିଜ ବକ୍ତବ୍ୟରେ ଆହ୍ବାନ ଦେଇଥିଲେ। ଏନ୍.ସି.ସି. ପତାକା ଉତ୍ତୋଳନ ପରେ ପି.ଏମ୍.ଶ୍ରୀ.ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା, ପି.ଏମ୍.ଶ୍ରୀ. ସରକାରୀ ଉଚ୍ଚ ବିଦ୍ୟାଳୟ, ତୁଣ୍ଡଲା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା, ଓଡିଶା ଆଦର୍ଶ ବିଦ୍ୟାଳୟ, ମଶାଣିମୁଣ୍ଡାର ଜାତୀୟ ସମର ଶିକ୍ଷାର୍ଥୀମାନେ ପରେଡ୍ ଓ ମାର୍ଚ୍ଚ ପାଷ୍ଟରେ ଅଂଶଗ୍ରହଣ କରିଥିଲେ । ଏନ୍.ସି.ସି.ର ଏକତା ଓ ଅନୁଶାସନ ଆଦର୍ଶକୁ ଛାତ୍ରଛାତ୍ରୀମାନଙ୍କ ପ୍ରଶଂସନୀୟ ଅବଦାନ ଓ ଅଭିପ୍ରେରଣା ନିମନ୍ତେ ଜେ.ସି.ଓ. ବଶିଷ୍ଟ ମାଝୀ, ପୂର୍ବତନ ଏ.ଏନ୍.ଓ.ଦ୍ବୟ ସମୀର କୁମାର ବେହେରା, ଓ ଶରତ ଚନ୍ଦ୍ର ପୁରୋହିତଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ ଆୟୋଜନ କରିବାରେ କେସିଙ୍ଗା ବ୍ଲକର ଏନ୍. ସି.ସି. ଅଫିସର ଯୁଗଳ ଛତ୍ରିଆ, ଗିରିଧାରୀ ଭୋଇ, ଅଂଶୁମାନ ସାହୁ, ବାବୁଲୀ ହେମ୍ବ୍ରମ, ଲୋକେଶ ମାଝୀ , ଲକ୍ଷ୍ମୀ ନାରାୟଣ ମାଝୀ ସହଯୋଗ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ଦଳଗୁଡିକୁ ପୁରସ୍କୃତ କରାଯାଇଥିଲା । ଉଦ୍ ଘାଟନୀ ଓ ପୁରସ୍କାର ପ୍ରଦାନ ସମାରୋହକୁ ଜି.କ୍ରିଷ୍ଣା ରେଡ୍ଡୀ ସଂଚାଳନ କରିଥିଲେ।