ଗୁରୁଣ୍ଠି ସ୍ୱରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ : ଶିକ୍ଷା ସହ ସଂସ୍କାର ଦେଶଗଠନର ମୂଳମନ୍ତ୍ର- ବିଭୂତି ଭୂଷଣ ଜେନା

ଗଞ୍ଜାମ/କ୍ରାନ୍ତିକ୍ଷେତ୍ର : (ରଞ୍ଜିତ ପ୍ରଧାନ) ଗଞ୍ଜାମ ଜିଲ୍ଲାର ଗୁରୁଣ୍ଠି ସ୍ଥିତ ସ୍ୱରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଆଜି ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଓ ସାଂସ୍କୃତିକ ମାହୋଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ମୁଖ୍ୟ ଅତିଥି ଭାବେ ଉଦ୍‌ବୋଧନ ଦେଇ ଶ୍ରୀ ଜେନା କହିଥିଲେ ଯେ, ଶିକ୍ଷା କେବଳ ପାଠ୍ୟପୁସ୍ତକରେ ସୀମିତ ରହିଲେ ହେବନାହିଁ, ଏହା ସହ ସଂସ୍କାର, ନୈତିକତା ଓ ଦେଶଭକ୍ତି ଯୋଗ ହେଲେ ମାତ୍ର ସୁସ୍ଥ ସମାଜ ଓ ସୁଦୃଢ଼ ରାଷ୍ଟ୍ର ଗଢ଼ି ଉଠେ। ସ୍ୱରସ୍ୱତୀ ଶିଶୁମନ୍ଦିର ପରି ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ମୂଲ୍ୟବୋଧ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ବିଜେପି ନେତା ଓ ସମାଜସେବୀ ଶ୍ରୀ ନିରଞ୍ଜନ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ସଂସ୍କାର, ଶିଷ୍ଟାଚାର, ଶ୍ରମନିଷ୍ଠା ଓ ସମାଜସେବାର ମନୋଭାବ ଗଢ଼ି ଉଠାଇବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ, ଆଜିର ଶିଶୁ ଆଗାମୀ କାଲିର ଦେଶର ଭବିଷ୍ୟତ, ତେଣୁ ଶିଶୁମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେବା ସମସ୍ତଙ୍କର ଦାୟିତ୍ୱ।
ବାର୍ଷିକ ଉତ୍ସବ ଅବସରରେ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତିମୂଳକ ଗୀତ, ସମୂହ ନୃତ୍ୟ, ନାଟକ, ସଂସ୍କୃତିକ କାର୍ଯ୍ୟକ୍ରମ ଓ ଯୋଗାଭ୍ୟାସ ପ୍ରଦର୍ଶନ କରାଯାଇ ଦର୍ଶକମାନଙ୍କର ଭାରି ପ୍ରଶଂସା ଲାଭ କରିଥିଲା। ଛାତ୍ରଛାତ୍ରୀଙ୍କ ପ୍ରତିଭା, ଶିଷ୍ଟାଚାର ଓ ଶୃଙ୍ଖଳା ଦେଖି ଅତିଥିମାନେ ଆନନ୍ଦ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ସହ ଶିକ୍ଷକ-ଶିକ୍ଷିକାମାନଙ୍କ ଅବଦାନକୁ ସମ୍ମାନିତ କରାଯାଇଥିଲା।

ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ, ଶିକ୍ଷକମଣ୍ଡଳୀ, ଅଭିଭାବକ, ପୁରାତନ ଛାତ୍ର, ସ୍ଥାନୀୟ ବୁଦ୍ଧିଜୀବୀ ଓ ଗଣମାନ୍ୟ ବ୍ୟକ୍ତିବର୍ଗଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଗରିମାମୟ କରିଥିଲା।

Leave a Reply

Your email address will not be published. Required fields are marked *