ମଣ୍ଡଳ ଓ ପାଜେନ ଗ୍ରାମରେ ଆଦିବାସୀଙ୍କ ଟୋକିପର୍ବ ଉଦଯାପିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ଓ ପାଜେନ ଗ୍ରାମ ଠାରେ ଆଦିବାସୀଙ୍କ ଟୋକି ପର୍ବ ମହାଆଡମ୍ବରରେ ରବିବାର ଦିନ ଉଦଯାପିତ ହୋଇଯାଇଛି। ଏହି ପର୍ବ ଆଦିବାସୀଙ୍କ ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ଟୋକି ପର୍ବ, ଏହି ପର୍ବ ପାଳନ କଲେ ମାଟି ମାଁ ସନ୍ତୁଷ୍ଟ ହୁଅନ୍ତି ଆଉ ଚାଷ ଭଲ ହୁଏ ବୋଲି ବିଶ୍ବାସ ରହିଛି। ତେଣୁ ଭକ୍ତି ମନୋଭାବ ସହ ଏହି ପର୍ବ ନିଷ୍ଠାର ସହ ପାଳନ କରାଯାଇଥାଏ। ପୁରାତନ କାଳରେ ଏହି ପର୍ବରେ ଏକ କୁଆଁରୀ ଝିଅକୁ ବଳି ଦିଆ ଯାଉଥିଲା। ଏବେ ସେସବୁ ବଦଳାଇ କୁଆଁରୀ ଝିଅ ବଦଳରେ ଗଡରା (ମେଣ୍ଢା) ବଳିଦିଆ ଯାଉଛି। ଆଦିବାସୀ ଗାଁ ମାନଙ୍କରେ ଏହି ପର୍ବ ପ୍ରତିବର୍ଷ ପୌଷ ମାସର ଶେଷ ସପ୍ତାହ ରବିବାର ଦିନ ଅନୁଷ୍ଠିତ ହୁଏ। ଏହି ପର୍ବ ଦେଖିବା ପାଇଁ ଅଞ୍ଚଳର ଶତାଧିକ ଲୋକ ଟୋକିମରା ପର୍ବ ଦେଖିବା ପାଇଁ ଆସିଥାନ୍ତି। ଟୋକିପର୍ବ ପାଳନ କରୁଥିବା ଗ୍ରାମ ମାନଙ୍କରେ ନିର୍ଦ୍ଧାରିତ ସମୟ ଯୋଗଲଗ୍ନ ଅନୁସାରେ କାର୍ଯ୍ୟ କରିଥାନ୍ତି। ଟୋକିମରା ପର୍ବ ପାଳନରେ କାର୍ଯ୍ୟ ନିର୍ବାହ କରୁଥିବା ମୁନ୍ଦ୍ରା ଧରିଆ, ଯୋଗ କରିଆ, ଦିଶାରୀ, ଗୁର୍ମେନ ପ୍ରମୁଖ ଗଡରା (ମେଣ୍ଢା) କୁ ମାଟି ଦେବତା ଗୁଡିରେ ପୂଜା ବିଦ୍ଧି କରାଗଲାପରେ ଗାଁ ଗୁନ୍ତିଆ ଘରୁ ବାହାର କରି ଧାର୍ଣ୍ଣିଖୁଣ୍ଡ ନିକଟକୁ ବହୁ ଜନସମାବେଶରେ ଆଣିଥାନ୍ତି। ଗଡ୍ରା ଆଣିବା ସମୟରେ ବାଟରେ ଜୋର କରିବା ପାଇଁ ଅନେକ ଗ୍ରାମର ଯାନୀ ମାନେ ପ୍ରସାଦ ନେବା ପାଇଁ ପ୍ରୟାସ କରିଥାନ୍ତି। ଶାନ୍ତିଶୃଙ୍ଖଳା ବଳୟ ଭିତରକୁ ପ୍ରବେଶ କରିବା ସହଜ ହୋଇନ ଥାଏ। ଅଧିକାଂଶ ଗ୍ରାମର ଜାନିମାନେ ନିଜ ଗ୍ରାମ୍ୟ ଦେବତାଙ୍କ ଅସ୍ତ୍ର ଶସ୍ତ୍ର ଧରି ଟୋକି ପର୍ବ ପାଳନ କରୁଥିବା ଧରୁଣୀ ଦେବଙ୍କ ପୀଠରେ ଉପସ୍ଥିତ ହୋଇଥାନ୍ତି। ପରମ୍ପରା ଅନୁସାରେ ଗଡରା (ମେଣ୍ଢା)ମାଂସକୁ ନେଇଁ ନିଜ ଦେବୀଙ୍କ ପୀଠରେ ପୋତିଲେ ଶୁଭ ଫଳ ସହ ଚାଷ କାର୍ଯ୍ୟ ଭଲହେବାର ବିଶ୍ୱାସ ରହିଆସିଛି। ଏହି ପର୍ବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବାହିନୀ ଉପସ୍ଥିତ ହୋଇ ଶୃଙ୍ଖଳା ରକ୍ଷା କରିଥାନ୍ତି। ଟୋକି ପର୍ବ ଆର ଦିନ ତଥା ଦ୍ଵିତୀୟ ଦିନ ଧାଙ୍ଗରିଦୁଳା ହୋଇଥାଏ। ଏହି ଅବସରରେ ନାଚ ଗୀତ ମହୁଜ କରିଥାନ୍ତି। ଟେକି ପର୍ବ ପାଳନ ହେଇଥିବା ମଣ୍ଡଳ ଓ ପାଜେନ ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମରେ ଶାନ୍ତି ଶୃଙ୍ଖଳା ସହ ଟୋକି ପର୍ବ ଉଦଯାପିତ ହୋଇଯାଇଛି।