କୋକସରା/କ୍ରାନ୍ତିକ୍ଷେତ୍ର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର କର୍ମକର୍ତ୍ତା ନିଯୁକ୍ତି ଘୋଷଣା କରାଯାଇଛି। ଜିଲ୍ଲା ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ସହ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଏହି ତାଲିକାରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡ଼ିର ସାଧାରଣ ସମ୍ପାଦକ ଭାବେ ରାଜୀବ କୁମାର ଅଗ୍ରୱାଲ ସ୍ଥାନ ପାଇଛନ୍ତି। କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଥିବା ରାଜୀବ ଜଣେ ଜନପ୍ରତିନିଧି ଭାବେ ନିଜ ଅଞ୍ଚଳର ବିକାଶ ଦିଗରେ ବିଶେଷ ଧ୍ୟାନ ଦେଇ ଆସୁଛନ୍ତି। ଅଞ୍ଚଳର ବିକାଶ ସହ ସେ ଦୁର୍ଗତ ମାନବଙ୍କ ବନ୍ଧୁ ସାଜିଛନ୍ତି। ଜଣେ ଯୁବ ନେତୃତ୍ବ ଭାବେ ସେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରି ପାରିଛନ୍ତି। ଜଣେ ସୁସଂଗଠକ ଭାବେ ମଧ୍ୟ ସେ ସୁପରିଚିତ। ବର୍ତ୍ତମାନ ତାଙ୍କୁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ଦେଇଥିବାରୁ ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ କୁମାର ଦିଶାରୀଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

