ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ ପଣ୍ଡକାମାଲ ପଞ୍ଚାୟତ ତୁଜୁଙ୍ଗ ଗ୍ରାମ ସ୍ଥିତ ବିଦ୍ୟାନ୍ତ କଲେଜର ତୃତୀୟ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଛି। କଲେଜର ପରିଚାଳନା ନିର୍ଦ୍ଦେଶକ ପୁଣ୍ୟଶ୍ଳୋକ ଆଇଚଙ୍କ ଉଦ୍ୟମରେ ଏହି ଉତ୍ସବମୂଳକ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡ଼. ନିବେଦିତା ନାଥ (ଭାଇସ୍ ଚାନ୍ସେଲର, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା), ଡ଼. କୈଳାସ ଚନ୍ଦ୍ର ଦାସ (ରାଜନୈତିକ ବିଜ୍ଞାନ ବିଭାଗ ମୁଖ୍ୟ) ଓ ବୃନ୍ଦାବନ ନାଗ (ବିଦ୍ୟାନ୍ତ ମହାବିଦ୍ୟାଳୟର ସଦସ୍ୟ) ଉପସ୍ଥିତ ରହି ପ୍ରଥମେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟକ୍ରମକୁ ଶୋଭାବର୍ଦ୍ଧନ କରିଥିଲେ। ଅତିଥିମାନେ ନିଜ ଉଦ୍ବୋଧନରେ ଶିକ୍ଷାର ଗୁରୁତ୍ୱ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷାନୁଷ୍ଠାନର ଭୂମିକା ଓ କଲେଜର ସାମଗ୍ରିକ ଉନ୍ନତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଅଧ୍ୟାପିକା ମଣ୍ଡଳୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଓ ଭାଷଣ ମାଧ୍ୟମରେ ଉତ୍ସବଟି ଆହୁରି ଆକର୍ଷଣୀୟ ହୋଇ ଉଠିଥିଲା। ଶେଷରେ ଆୟୋଜକମାନେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।
