କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ପାଣି ପଞ୍ଚାୟତ ପକ୍ଷ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତହିଁସିର ଡେମ ପରିସରରେ ଜିଲ୍ଲା ସ୍ଥାନୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ଇଣ୍ଟ୍ରିଗ୍ରେଟେଡ ଫର୍ମିଂ ଉପରେ ଗୁରୁତ୍ୱାରୋପ କରି ଚାଷୀ ଓ ଚାଷର ବିକାଶ ଉପରେ ଆଲୋଚନା କରିଥିଲେ। ଏଥି ସହିତ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ମାଟି ଗୋଡ଼ି ପାଟି ହୋଇ କେନାଲ ଗୁଡ଼ିକର ଜଳ ଧାରଣାର କ୍ଷମତା କମିବାରେ ଲାଗିଛି ବୋଲି ପ୍ରକାଶ କରି ସରକାର ଚାଷୀଙ୍କ ଉନ୍ନତି ପାଇଁ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ପ୍ରକାଶ ଥାଉକି ସମଗ୍ର ଓଡ଼ିଶାରେ ୩୯ ହଜାର ପାଣି ପଞ୍ଚାୟତ ଅଛି ଯାହା ୨୩.୧୫ ଲକ୍ଷ ହେକ୍ଟର ଚାଷ ଜମିକୁ କଭର କରିଥାଏ। ସେହିପରି ୨୦୨୧ ର ସରକାରୀ ଲେଖାଯୋଖା ଅନୁଯାୟୀ କଳାହାଣ୍ଡିରେ ସମୁଦାୟ ୨୬୭ ଟି ସକ୍ରିୟ ପାଣିପଞ୍ଚାୟତ ଅଛି ଯାହା ଜିଲ୍ଲାର ୧ ଲକ୍ଷ ୨୮ ହଜାର ହେକ୍ଟର ଚାଷଜମି କୁ ଜଳ ସେଚନର ବ୍ୟବସ୍ଥା କରିଥାଏ। ହେଲେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପାଣି ପଞ୍ଚାୟତର କର୍ମକର୍ତ୍ତା ମାନେ ନିଜ ନିଜ ଅଞ୍ଚଳର ପାଣି ପଞ୍ଚାୟତ ର ସମସ୍ୟା ଉପସ୍ଥିତ ଅଧିକାରୀ ମାନଙ୍କୁ କହିଥିଲେ। ଅଧିକାରୀ ମାନେ ସମସ୍ୟା କଥା ସରକାରଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ ଇଂ ସରୋଜ ସାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କନ୍ତେଶିର କ୍ଷୁଦ୍ର ଜଳସେଚନ ପାଣି ପଞ୍ଚାୟତ ସଭାପତି ଶୈଳେଶ ସାହୁ ସହନିର୍ବାହି ଯନ୍ତ୍ରୀ ମ. ରାମପୁର ଜୀତେନ୍ଦ୍ର କ୍ଷେସ, ସହନୀର୍ବାହି ଯନ୍ତ୍ରୀ ଜୟପାଟଣା ତପନ କୁମାର ଦାସ, ଭବାନୀପାଟଣା ସହ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ସୁଧୀର ନାଏକ କରିଥିବାବେଳେ କେସିଙ୍ଗା ସହନିର୍ବାହୀ ଯନ୍ତ୍ରୀ ଜଗମୋହନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବଣ୍ଟନ କରିଥିଲେ।
