ଅଭିଯୋଗ ଶୁଣାଣୀରେ ଅଧିକାରୀ ଙ୍କୁ ବାରଣ

ରାୟଗଡା/କ୍ରାନ୍ତିକ୍ଷେତ୍ର : ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଜିଲ୍ଲା ସ୍ତରୀୟ ଅଧିଳାରୀ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଆସିବାରୁ ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ବାରଣ କରିଛନ୍ତି। ବାରଣ କରିବାରୁ ଅଧିକାରୀଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଦରମହକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିଲା। ନିର୍ଦ୍ଧାରିତ ସମୟ ଦିନ ଦଶଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଠିକ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚି ସାରିଥିଲେ ମଧ୍ୟ ଅଧିକାଂଶ ଜିଲ୍ଲା ସ୍ତରୀୟ ଅଧିକାରୀ ଶୁଣାଣିରେ ପହଞ୍ଚି ନଥିଲେ।  ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ରାୟଗଡା ଉପଜିଲ୍ଲାପାଳଙ୍କୁ ମଧ୍ୟ ବିଳମ୍ବରେ ଆସିବାରୁ ଭିତରକୁ ଛଡା ଯାଇନଥିଲା। ଜିଲ୍ଲା ଅବକାରୀ ଅଧିକ୍ଷକ, ଉପନିବନ୍ଧକ ଡିଆରସିଏସ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡା ବିଡିଓ, ଜଙ୍ଗଲ ବିଭାଗର ଏସିଏଫ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ଓ ଅନ୍ୟ କିଛି ଅଧିକାରୀଙ୍କୁ ଶୁଣାଣି ପ୍ରକୋଷ୍ଠକୁ ଛଡ଼ା ଯାଇନାହିଁ। ଅପ୍ରିତିକର ପରିସ୍ଥିତିରେ ପଡିଯାଇଥିବା ଯୋଗୁଁ ଅଧିକାରୀ ମାନେ ବାଧ୍ୟ ହୋଇ ଶୁଣାଣି ପ୍ରକୋଷ୍ଠ ପାର୍ଶ୍ୱରେ ଥିବା ଇନୋଭେସନ ସେଲରେ ବସି ରହିଥିଲେ। ଲୋକଙ୍କ ଅଭିଯୋଗକୁ ବିଜେପି ନେତୃତ୍ବାଧୀନ ସରକାର ପ୍ରାଥମିକତା ଦେଉଥିବା ଏବଂ ଏଥିରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ରହିଥିବାରୁ ଜିଲ୍ଲାପାଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି। ଅଭିଯୋଗ ଶୁଣାଣି ୧ ଘଣ୍ଟାରୁ ଉର୍ଦ୍ଧ ହୋଇ ଯାଇଥିଲେ ମଧ୍ୟ ଅଧିକାରୀ ମାନେ ବାହାରେ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଅଧିକାରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବହୁ ଅଭିଯୋଗକାରୀ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।