ଜଳ ଭଣ୍ଡାର ଜଳ ପତ୍ତନ ନିର୍ମାଣରେ ବାଧକ ; ପ୍ରକଳ୍ପ କାର୍ଯ୍ୟ ସମୀକ୍ଷାକଲେ ଜିଲ୍ଲାପାଳ

ତେନ୍ତୁଳିଖୁଣ୍ଟି/କ୍ରାନ୍ତି କ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ନବରଙ୍ଗପୁର ବ୍ଲକର ସତୁରୀ ହଜାର ହେକ୍ଟର ଜଳ ସେଚନ ପାଇଁ ୨୦୨୩ ମସିହାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ୩୦ ପ୍ରତିଶତ ହିଁ ହୋଇ ପାରିଛି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦୁଇଟି ଠିକା କମ୍ପାନୀ ନେଇଥିବାବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ନିର୍ମାଣ କାର୍ଯ୍ୟରେ ବାଧକ ସାଜିଥିବା ନେଇ ଦୁଇଟି ଏଜେନ୍ସି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କୁ ଭେଟି ଜଣାଇଥିଲେ। ଆଜି ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ଓ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଉଭୟ ପ୍ରକଳ୍ପର କାର୍ଯ୍ୟ ସ୍ଥଳ ଯଥା କଳାହାଣ୍ଡି ଜିଲ୍ଲାର ମୂର୍କା ଓ ତେନ୍ତୁଳିଖୁଣ୍ଟି ବ୍ଲକର ଢେପଗୁଡ଼ାକୁ ଯାଇ ସ୍ଥିତି ପରଖି ଥିଲେ। ଇନ୍ଦ୍ରାବତୀ ଅତିଥି ଭବନରେ କାର୍ଯ୍ୟ ନିର୍ବାହୀ ଉଭୟ ସଂସ୍ଥାର ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଥିଲେ। ସମୀକ୍ଷା ବୈଠକ ପରେ ମେଗା ଉଠା ଜଳସେଚନ ପାଇଁ ନିର୍ମାଣ କାର୍ଯ୍ୟରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର ଯେଉଁ ବାଧକ ହୋଇଛି ତାହା ଦୂର କିଭଳି କରାଯାଇ ପାରିବ ସେହି ବିଷୟରେ ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ ସହ ଯୋଗାଯୋଗ କରି ସମାଧାନ କରିବା ପ୍ରୟାସ କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଉଲ୍ଲେଖନୀୟ ବିଷୟ ଏହି ଯେ ତଳ ମୁଣ୍ଡ ବାସିନ୍ଦାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳ ଅକ୍ଟୋବର ମାସରେ ନିଷ୍କାସନ ପାଇଁ ବାରମ୍ବାର ଦାବୀ ସତ୍ତ୍ୱେ ବିଭାଗ ଓ ଜନ ପ୍ରତିନିଧି ଗୁରୁତ୍ଵ ଦେଇ ନ ଥିଲେ।