ଖାତିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟୟନ ଛାତ୍ରଛାତ୍ରୀ ଆମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପବର୍ଷା ସହ ପାଛୋଟି ଆଣିଥିଲେ। ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ଵଳନ ଅତିଥିମାନେ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ପ୍ରଦାନ ପରେ ବିଦ୍ୟାଳୟ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନବୀନ ନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ ସହ ବିଦ୍ୟାଳୟର ସମସ୍ୟା ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବିଦ୍ୟାଳୟର ଖେଳ, ଶିକ୍ଷା, ନିୟମିତ ଉପସ୍ଥାନ ଥିବା ତଥା କୃତି ଛାତ୍ରଛାତ୍ରୀଙ୍କୁ ପୂରୁସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ସମ୍ମାନିତ ଅତିଥି ଶିକ୍ଷାବିତଭାବେ ସାହିତ୍ୟିକ ନାରାୟଣ ପଣ୍ଡା, ପୂର୍ବତନ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ରମେଶ ଟାକ୍ରୀ,ମୁଖ୍ୟ ବକ୍ତା ଭାବେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ, ତେନ୍ତୁଳିଖୁଣ୍ଟି ଗୋଷ୍ଠି ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାସ, ଅନ୍ୟତମ ବରେଣ୍ୟ ଅତିଥି ମଧ୍ୟରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ କୂଳ ରଞ୍ଜନ ସୁନା, ପ୍ରଫୁଲ୍ଲ ପଟ୍ଟନାୟକ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନବୀନ କୁମାର ନାୟକ, ସିଆରସିସି ପ୍ରମୋଦା ସାମଲ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା ସଞ୍ଜୀବ କୁମାର ସାହୁ କରିଥିଲେ। ଛାତ୍ର ଜୀବନରେ ଶୃଙ୍ଖଳା, ସମୟାନୁବର୍ତ୍ତିତା, ପାଳନ କଲେ ନିଜର ଲକ୍ଷ୍ୟ ସ୍ଥଳୀ ପହଁଚି ପାରିବ ବୋଲି ମୁଖ୍ୟବକ୍ତା ମତ ରଖିଥିଲେ। ଶିକ୍ଷାକୁ ମାପ କାଠି କରି ପିତା ମାତା ଓ ଗୁରୁଜନଙ୍କ ଭକ୍ତି କରି ଚାଲିଲେ ଜୀବନ ସାର୍ଥକ ହୋଇ ପାରିବ ବୋଲି ବିଇଓ ସୁଦୀପ୍ତ ଦାସ କହିଥିଲେ। ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ପରେ ଆରମ୍ଭ ହୋଇଥିଲା ନାଚଗୀତ । ଏହି କାର୍ଯ୍ୟକ୍ରମ ଆୟୋଜନରେ ସହକାରୀ ଶିକ୍ଷୟତ୍ରୀ ମମତା ପାଣିଗ୍ରାହୀ, ରୀତା ବେହେରା, ସହକାରୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ପ୍ରମୁଖ ସହ ଯୋଗ କରିଥିଲେ।