ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ସାମାଜିକ ସୁରକ୍ଷା ଓ ନାରୀ ସମ୍ମାନ ଦିଗରେ ଏକ ଐତିହାସିକ ପଦକ୍ଷେପ

ଗଞ୍ଜାମ/କ୍ରାନ୍ତିକ୍ଷେତ୍ର (ରଞ୍ଜିତ ପ୍ରଧାନ) : ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସାଧାରଣ ଜନମଙ୍ଗଳକାରୀ ଯୋଜନା ନୁହେଁ, ବରଂ ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ଅଭିନବ ଓ ଦୂରଦର୍ଶୀ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଗଞ୍ଜାମ ଜିଲ୍ଲାସ୍ଥିତ ମା’ ତାରାତାରିଣୀଙ୍କ ପବିତ୍ର ପୀଠରେ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଶୁଭାରମ୍ଭ ଅବସରରେ ସେ ଏହି ମତ ପ୍ରକାଶ କରିଥିଲେ। ଏହି ମାଙ୍ଗଳିକ ଅବସରରେ ୨୦୧ ଜଣ କନ୍ୟାଙ୍କର ସାମୁହିକ ବିବାହ ସଫଳତାର ସହ ସମ୍ପନ୍ନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନିଜେ ବିବାହ ମଣ୍ଡପରେ ଉପସ୍ଥିତ ରହି କର୍ତ୍ତା ଭାବେ ହୋମକୁଣ୍ଡରେ ଆହୁତି ପ୍ରଦାନ କରି ନବଦମ୍ପତ୍ତିମାନଙ୍କୁ ଆଶୀର୍ବାଦ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ଏପରି ଏକ ଓଡ଼ିଶା ଗଢ଼ିବା, ଯେଉଁଠି କୌଣସି କନ୍ୟା ଆର୍ଥିକ ଦୁର୍ବଳତା କିମ୍ବା ସାମାଜିକ ଚାପ ହେତୁ ଅପୂର୍ଣ୍ଣ ବୟସରେ ବିବାହ କରିବାକୁ ବାଧ୍ୟ ହେବେ ନାହିଁ। ସେ କହିଥିଲେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ଭଗବାନଙ୍କର ଆଶୀର୍ବାଦ।

ସୂଚନାଯୋଗ୍ୟ ଯେ, ଏହି ଯୋଜନାରେ ଯୋଗଦେବା ପାଇଁ କନ୍ୟାଙ୍କ ବୟସ ୧୮ରୁ ୩୫ ବର୍ଷ ଓ ବରଙ୍କ ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହେବା ସହ ଉଭୟ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ। ଯୋଗ୍ୟ କନ୍ୟାଙ୍କୁ ମୋଟ ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଏଥିରେ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ଜମା ହେଉଥିବା ବେଳେ ୧୫ ହଜାର ଟଙ୍କା ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟୟ କରାଯାଉଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ବଜେଟରେ ୫୯ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ମହିଳା ସମ୍ମାନ, ସାମାଜିକ ସୁରକ୍ଷା, ବିଧବା ପୁନର୍ବିବାହକୁ ଉତ୍ସାହ ଓ ଯୌତୁକ ପ୍ରଥା ନିବାରଣରେ ଏକ ମିଳିତ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନବଦମ୍ପତ୍ତିମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏହା ମୁଖ୍ୟମନ୍ତ୍ରୀଙ୍କ ମାନସପ୍ରସୂତ ଏକ ମହତ୍ୱାକାଂକ୍ଷୀ ଯୋଜନା, ଯାହା ସୁଭଦ୍ରା ଯୋଜନା ସହ ମିଶି ରାଜ୍ୟର ମହିଳାମାନଙ୍କୁ ସୁରକ୍ଷା ଓ ଆତ୍ମସମ୍ମାନ ପ୍ରଦାନ କରିବ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ନବଦମ୍ପତ୍ତିମାନଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଇଥିଲେ।