ନିର୍ମାଣ କୁ ଅନେକ ଦିନ ; କେବେ ହସ୍ତାନ୍ତର ହେବ ଷ୍ଟାଲ ଗୃହ

ଝରିଗାଁ/କ୍ରାନ୍ତିକ୍ଷେତ୍ର(ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବ୍ଳକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଷ୍ଟାଲ ଗୃହ ନିର୍ମାଣ ହୋଇ ଦୀର୍ଘ ମାସ ବିତିଯାଇଥିଲେ ହେଁ ଏଯାଏ ପଂଚାୟତକୁ ହସ୍ତାନ୍ତର କରାଯାଉନି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ, ବ୍ଳକ କାର୍ଯ୍ୟାଳୟ ପାର୍ଶ୍ୱରେ ବ୍ଳକ ପ୍ରଶାସନ ପକ୍ଷରୁ ୮ ଗୋଟି ଷ୍ଟାଲ ଗୃହ ନିର୍ମାଣ କରାଯାଇଛି। ଲକ୍ଷ୍ୟଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଲ ଗୃହର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଦୀର୍ଘ ମାସ ବିତିଗଲାଣି, ହେଲେ ଏ ପର୍ଯ୍ୟନ୍ତ ବ୍ଳକ ପ୍ରଶାସନ ଷ୍ଟାଲ ଗୃହ ଗୁଡିକ ହସ୍ତାନ୍ତର କରି ନଥିବାରୁ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଯୋଗେଶ୍ୱର ପୂଜାରୀଙ୍କୁ ପଚାରିବାରୁ ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆମକୁ ହସ୍ତାନ୍ତର କରି ନାହାନ୍ତି ବୋଲି କହିଛନ୍ତି। ଜିପିଓ ରମେଶ ହରିଜନଙ୍କୁ ମଧ୍ୟ ଷ୍ଟାଲ ଗୃହ ବିଷୟରେ ପଚାରିଲେ ମଧ୍ୟ  ଅନୁରୂପ ଉତ୍ତର ହିଁ କହୁଛନ୍ତି। ଉଭୟେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପରେ ଦୋଷ ଲଦିଦେଇ ଚୁପ ରହୁଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁ ସୁଧନ ମାଝୀ କିନ୍ତୁ ଏହି କିଛି ଦିନ ମଧ୍ୟରେ ହସ୍ତାନ୍ତର କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହୁଛନ୍ତି। ଅନ୍ୟପଟେ ଅନେକ ଦିନ ହେବା ସତ୍ତ୍ୱେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜାଣିଶୁଣି ହସ୍ତାନ୍ତର କରୁନାହାନ୍ତି ନା’ ସେ କେଁଉ ନେତାଙ୍କ ହାତ ବାରିସୀ ସାଜିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ଏଣେ କେବେ ଏହି ଷ୍ଟାଲ ଗୃହ ହସ୍ତାନ୍ତର ହେବ ତାହା ବର୍ତମାନ ଦେଖିବାକୁ ବାକି ରହିଲା।