ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡ଼ି ପଳାଇବା ଘଟଣା ଅଭିଯୋଗ ରେ ଦୁଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଦୁଇ ଜଣ ହେଲେ ବେଲଘର ଥାନା ଝିରିପାଣି ଗ୍ରାମର ନିତେସ ନାୟକ, ସୁସିଲ ନାୟକ ବୋଲି, ସାମ୍ୱାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେ। ସୂଚନା ଅନୁଯାଇ କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ନାବାଳିକା ଗତ ରବିବାର ପୂର୍ବାହ୍ନରେ ଏକୁଟିଆ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ପୂର୍ବ ଯୋଜନା ପ୍ରକାରେ ସେହି ଅଞ୍ଚଳର ୨ ଜଣ ଯୁବକ ନାବାଳିକାକୁ ଗାଧୋଇବା ତୁଠରୁ ଉଠାଇ ଏକ ଘଞ୍ଚ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ନାବାଳିକାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଜବରଦସ୍ତ କରିଥିଲେ। କିନ୍ତୁ ନାବାଳିକା ରାଜି ନ ହେବାରୁ ସେ ପିନ୍ଧିଥିବା ପୋଷାକ ଚିରି ଦେଇ ଭିଡିଓ କରି ଭାଇରଲ କରିଦେବୁ ବୋଲି ଧମକ ଦେଇଥିଲେ। ଏହା ସହିତ ନାବାଳିକାଙ୍କୁ ମାଡମାରି ପାଟିରେ କପଡ଼ା ଓ ହାତ ଗୋଡ ବାନ୍ଧି ସେହି ଘଞ୍ଚ ଜଙ୍ଗଲରେ ଛାଡ଼ି ଦେଇ ପଳାଇଥିଲେ। ସେଠାରେ ରାତିର କିଟି କିଟି ଅନ୍ଧାର, ହିଂସ୍ରଜନ୍ତୁଙ୍କ ଭୟ ସହିତ ଶୀତ କାକରରେ ରାତି କାଟି ଥିବାବେଳେ ବନ୍ଧା ହାତଗୋଡ କିପରି ଖୋଲିହେବ ସେ ପ୍ରଚେଷ୍ଟ ଜାରି ରଖି ସକାଳ ହେବାରୁ କୌଣସି ପ୍ରକାରେ କଷ୍ଟମଷ୍ଟେ ଘରକୁ ଫେରି ପରିବାର ଲୋକଙ୍କୁ କହିଥିଲେ। ଏନେଇ ପରିବାର ଲୋକେ ବେଲଘର ଥାନାରେ ଏକ ଲିଖିତ ଅଭିଯୋଗ ଦେଲା ପରେ ବେଲଘର ଥାନାରେ ଏକ ମାମଲା ରୁଜୁ କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।
