ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛ। ଦକ୍ଷିଣ ଓଡ଼ିଶାର ଶୀର୍ଷ ମାଓ ନେତା ନିଖିଲ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ସମେତ ୧୫ ଜଣ ମାଓବାଦୀ ରାୟଗଡ଼ା ପୁଲିସ୍ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ରାୟଗଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ପୁଲିସ୍ ଏଡିଜି (ଆଣ୍ଟି ନକ୍ସଲ ଅପରେସନ) ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଥିଲେ। ସୂଚନାନୁସାରେ, ଆତ୍ମସମର୍ପଣ କରିଥିବାମାନଙ୍କ ମଧ୍ୟରେ ଦୁଇ ଜଣ ରାଜ୍ୟ କମିଟି ସଦସ୍ୟ ନିଖିଲ ଓ ଇନ୍ଦୁ, ଜଣେ ଡିଭିଜନାଲ୍ କମିଟି ସଦସ୍ୟ, ୫ ଜଣ ଏରିଆ କମିଟି ସଦସ୍ୟ ଓ ୭ ଜଣ ସଦସ୍ୟ ରହିଛନ୍ତି। ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଖିଲ ଓ ଇନ୍ଦୁ ପୂର୍ବରୁ ଚିଠି ଜାରି କରିଥିବା ମଧ୍ୟ ସୂଚନା ମିଳିଛି। କେନ୍ଦ୍ର ଓ ରାଜ୍ୟ ସରକାର ମାଓବାଦୀମାନଙ୍କୁ ହିଂସା ପଥ ଛାଡ଼ି ଗଣତାନ୍ତ୍ରିକ ପଦ୍ଧତିରେ ମୁଖ୍ୟଧାରାକୁ ଫେରିବା ପାଇଁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଡେଡ୍ଲାଇନ୍ ନିର୍ଦ୍ଧାରଣ କରିଥିବା ବେଳେ ଏହାକୁ ସମ୍ମାନ ଜଣାଇ ସମସ୍ତେ ଆତ୍ମସମର୍ପଣ କରିଥିବା ଏଡିଜି ପଣ୍ଡା କହିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପୁରସ୍କାର ରାଶି ଭାବେ ମୋଟ ୧ କୋଟି ୯୮ ଲକ୍ଷ ୫୫ ହଜାର ଟଙ୍କା ଓ ମାରଣାସ୍ତ୍ର ବିରତି ବାବଦରେ ୧୮ ଲକ୍ଷ ୮୬ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ଏହା ସହିତ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଅନୁଯାୟୀ ସେମାନଙ୍କୁ ଆର୍ôଥକ ସହାୟତା, ସୁରକ୍ଷା, ଜୀବିକା ସହାୟତା ଓ ସାମାଜିକ ମୁଖ୍ୟଧାରାକୁ ଫେରାଇ ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଏଡିଜି ପଣ୍ଡା ସୂଚନା ଦେଇଥିଲେ। ସମ୍ମିଳନୀରେ ସିଆରପିଏଫ୍ ଆଇଜି ଅମିତେନ୍ଦ୍ର ସିହ୍ନା, ଆଇଜି ଅପରେସନ ଦୀପକ କୁମାର, ଏସଆଇଡବ୍ଲ୍ୟୁ ଡିଆଇଜି ଅଖିଲେଶ ସିଂ, କୋରାପୁଟ ଡିଆଇଜି କନୱର ବିଶାଲ ସିଂ, ରାୟଗଡ଼ା ଏସପି ସ୍ୱାଥି ଏସ୍. କୁମାର, କନ୍ଧମାଳ ଏସପି ହରିଶ ବିସି, କଳାହାଣ୍ଡି ଏସପି ନାଗରାଜ ଦେବରକେଣ୍ଡା ଓ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରମୁଖ ଉପସ୍ଥିତ ଥିଲେ।
