ଆମ୍ବଗଛରେ ନେସି ହେଲାଣି ପେନ୍ଥା ପେନ୍ଥା ବଉଳ, ମହକୁଛି ପରିବେଶ 

ଝରିଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ଆମ୍ବ ଗଛରେ ବଉଳ ଧରିବା ଏକ ସୁନ୍ଦର ସଙ୍କେତ ଦେଇଥାଏ। ଯେବେ ଆମ୍ବ ଗଛରେ ବଉଳ ଆସେ। ଆମ୍ବଗଛରେ ହଳଦୀ ରଙ୍ଗର ଆମ୍ବ ବଉଳ ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ। ସେହି ବଉଳର ମହମହ ବାସ୍ନାରେ ସମସ୍ତଙ୍କୁ ଆନମନା କରିଦିଏ। ଛଅ ଋତୁରୁ ଚାରି ଋତୁ ଯିବାପରେ ଆସିଥାଏ ଶୀତ ଓ ବସନ୍ତ ଋତୁ ଏହି ବସନ୍ତ ଋତୁର ଆଗମନରେ ହସି ଉଠୁଥାଏ ପ୍ରକୃତି ରାଣୀ। ଏହି ଋତୁରାଜ ବସନ୍ତକୁ ସ୍ୱାଗତ କରିବାକୁ ଆମ୍ବ ଗଛରେ ପେନ୍ଥା ପେନ୍ଥା ବଉଳ ନେସି ହେଲାଣି। ପ୍ରକୃତିର ଗନ୍ତାଘର ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ଜଙ୍ଗଲ, ରାସ୍ତାକଡ ଠାରୁ ଆରମ୍ଭ କରି ବାଡ଼ି ବଗିଚା ରହିଥିବା ଗଛ ଗୁଡିକରେ ଭରି ହୋଇଛି ଆମ୍ବ ବଉଳ। କେତେକ ଗଛରେ ଏତେ ବଉଳ ଆସିଛି ଯେ ପତ୍ରଟିଏ ମଧ୍ୟ ଦେଖାଯାଉନାହିଁ। ଏଥିରୁ ଅନୁମାନ କରାଯାଉଛି ଏବର୍ଷ ଗଛରେ ଆମ୍ବ ଭଲ ଆସିବ । ଏଥର ଜଳବାୟୁ ସ୍ଵାଭାବିକ ଯୋଗୁଁ ଗଛରେ ବଉଳ ପେନ୍ଥା ପେନ୍ଥା ଦେଖାଦଉଛି। ବଉଳର ମିଠା ମିଠା ବାସ୍ନା ସମ୍ପୂର୍ଣ୍ଣ ପରିବେଶକୁ ମହକାଉଛି। ରାସ୍ତାରେ ଯାଉଥିବା ପଥିକ ନିଜ କ୍ଳାନ୍ତି ଦୂର ପାଇଁ ଯେତେବେଳେ ଆମ୍ବ ଗଛ ମୂଳରେ ବସିପଡେ ସେତେବେଳେ ବଉଳର ବାସ୍ନା ତା’ ମନରେ ଆଣିଦିଏ ଅସୁମାରୀ ତୃପ୍ତି। ଗଛ ମଧ୍ୟରେ ଭାସି ଆସୁଥିବା କୋଇଲିର କୁହୁ କୁହୁ ସ୍ବର ବାଟୋଇର ମନକୁ ଅଧିକ ରୋମାଞ୍ଚିତ କରେ।କିନ୍ତୁ ରାସ୍ତା ଚଉଡା କରିବା ପ୍ରକ୍ରିୟାରେ ଅନେକ ଆମ୍ବଗଛ ଟଳି ପଡ଼ିଥିବା ଯୋଗୁଁ ମୋହିତ କରିଆସୁଥିବା ବଉଳର ପରିମାଣ କମିଯାଉଥିବା ପ୍ରକୃତିପ୍ରେମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗଛରେ ଯଦି ଭଲ ବଉଳ ଆସେ ଭଲ ଆମ୍ବ ମଧ୍ୟ ଆସିଥାଏ। ଏଠିକାର ଲୋକେ ଗଛରେ ଆମ୍ବ ଆସିଲେ ବିଭିନ୍ନ ଜାତି ଜତିଆ ଆମ୍ବ ସଂଗ୍ରହ କରି ବଜାରରେ ବିକ୍ରୀକରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ଏହା ଖାଲି ଯେ ମଣିଷ ପ୍ରତିପୋଷଣ ହୋଇଥାଏ ତାନୁହେଁ ପଶୁ ପକ୍ଷୀ ଜୀବ ଜନ୍ତୁ ମନଙ୍କୁ ମଧ୍ୟ ଚଳଚଞ୍ଚଳ କରିଦେଇଥାଏ ଏହି ଆମ୍ବଗଛର ବଉଳ। ଆସନ୍ତା ଦିନଗୁଡ଼ିକରେ ପରିବେଶର ସୁରକ୍ଷା କରା ନ ଗଲେ ରାସ୍ତା କଡ଼ରେ ଦେଖାଦେଉଥିବା ବଉଳ ଆଉ ଦେଖିବାକୁ ମିଲିନପାରେ।