ରାୟଗଡ଼ାରେ ବଜରଙ୍ଗ ଦଳର ସଫାଇ କାର୍ଯ୍ୟକ୍ରମ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଲଣ୍ଡାପାହାଡ଼ ସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ଓ ଓଁ କାରେଶ୍ୱର ମନ୍ଦିର ପରିସରରେ ବ୍ୟାପକ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଧାର୍ମିକ ସ୍ଥଳର ପବିତ୍ରତା ଓ ପରିବେଶ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରାଯାଇଛି। କାର୍ଯ୍ୟକ୍ରମ ସମୟରେ ମନ୍ଦିର ପରିସର ଓ ଆସପାସ ଅଞ୍ଚଳରେ ପଡ଼ିଥିବା ବହୁ ପରିମାଣର ପ୍ଲାଷ୍ଟିକ ବୋତଲ, ଝରି ଓ ଅନ୍ୟାନ୍ୟ ଅବଞ୍ଜନା ସାମଗ୍ରୀ ସଂଗ୍ରହ କରି ସଫା କରାଯାଇଥିଲା। କାର୍ଯ୍ୟକର୍ତ୍ତାମାନେ ସାଧାରଣ ଲୋକଙ୍କୁ ଧାର୍ମିକ ସ୍ଥଳରେ ସ୍ୱଚ୍ଛତା ରକ୍ଷା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ପାଳନ ସମ୍ପର୍କରେ ସଚେତନ କରିଥିଲେ। ଆୟୋଜକମାନେ କହିଥିଲେ ଯେ’ ଧାର୍ମିକ ସ୍ଥଳକୁ ଅପବିତ୍ର କରିବା ଏକ ଗମ୍ଭୀର ସାମାଜିକ ଓ ସାଂସ୍କୃତିକ ସମସ୍ୟା ହୋଇଉଠୁଛି। ଏପରି ପରିସ୍ଥିତିକୁ ରୋକିବା ପାଇଁ ସମସ୍ତଙ୍କର ସମ୍ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ଶସ୍ୟଜ୍ୟୋତି ବେହେରା, ନଗର ସଂଯୋଜକ ଶଙ୍କର ବେହେରା, ନଗର ସହ ସଂଯୋଜକ ବି. ରାଜେଶ, ନଗର ବଳ ଉପାସନା ପ୍ରମୁଖ ଗଣେଶ ବେହେରା, ବିଶ୍ୱହିନ୍ଦୁ ପରିଷଦ ସଭାପତି ଡ଼. ବାବୁରାଓ ମହାନ୍ତି, ଉପ ସଭାପତି ଆନନ୍ଦ ରାଓ, ସମ୍ପାଦକ କୁନା ରମେଶ, ସହ ସମ୍ପାଦକ ଗୋପୀ ବ୍ରହ୍ମା, ଦୁର୍ଗା ବାହିନୀର ରୁପାଲୀ ପାଲାକା ସହିତ ବଜରଙ୍ଗ ଦଳର ନଗର କାର୍ଯ୍ୟକର୍ତ୍ତା ଇଶ୍ୱର ବେହେରା, ଶ୍ରୀନୁ ବେହେରା, ହାସିନ ସାରକା ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶେଷରେ ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ଶସ୍ୟଜ୍ୟୋତି ବେହେରା ଗୁରୁତର ଭାବେ ମତ ପ୍ରକାଶ କରି କହିଥିଲେ ଯେ ଧାର୍ମିକ ସ୍ଥଳରେ ବଢୁଥିବା ଅସାମାଜିକ କାର୍ଯ୍ୟକଳାପ ନେଇ ପ୍ରଶାସନ ତତ୍କାଳ ଓ କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସେ ସ୍ପଷ୍ଟ ଭାବେ ଦାବି କରିଥିଲେ ଯେ ମନ୍ଦିର ପରିସରରେ “ମଦ୍ୟପାନ ଓ ଧୂମ୍ରପାନ ନିଷେଧ” ସହ ଆଇନଗତ ସତର୍କବାଣୀ ସୂଚନା ପଟ୍ଟିକା ଶୀଘ୍ର ସ୍ଥାପନ କରାଯାଇ ନିୟମକୁ କଡାକଡି ଭାବରେ ଲାଗୁ କରାଯିବା ଦରକାର ବୋଲି କହିଥିଲେ।