କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡିର ଏକ ଗୌରବ ମୟ ସଂସ୍କୃତି, ପରମ୍ପରା ଓ ଇତିହାସ ରହିଛି। ଆଜି ମଧ୍ୟ କଳାହାଣ୍ଡିରେ ଆଦିମ ସଂସ୍କୃତିର କ୍ଷୀଣଧାରା ଦେଖିବାକୁ ମିଳେ। ସେହି କ୍ରମରେ ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଆଦିବାସୀଙ୍କ ଆଦିମ ଦେବୀ ଡୋକରୀ ବୁଢ଼ୀଙ୍କଠାରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ ମଣ୍ଡେଇ ଯାତ୍ରା କଳାହାଣ୍ଡିଆ ସଂସ୍କୃତିର ମୁକସାଖୀ ଭାବେ ଆଜି ମଧ୍ୟ ପାଳିତ ହୋଇଆସୁଛି। ମଙ୍ଗଳବାର ଡୋକରୀ ଚଞ୍ଚରାଠାରେ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାରମ୍ପାରିକ ରୀତିନୀତିରେ ପାଳିତ ହୋଇଛି। ଦେବୀଙ୍କ ପୀଠରେ ସକାଳୁ ପାରମ୍ପରିକ ରୀତିନୀତିରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ମଣ୍ଡେଇ ଯାତ୍ରାରେ ଖଲିଗଡ ଗ୍ରାମର ପୁଝାରୀ ଘରୁ ଘଟିମୁଣ୍ଡିଆଣି, ମାଉଳୀ ଓ ଠାକୁରାଣୀ ଦେବିଙ୍କ ଲାଠି ବାହାରି ଧରଣୀ ମନ୍ଦିର, ବରା ଭୀମା, ଦୋକରୀ ପୀଠରେ ପୂଜାର୍ଚ୍ଚନା ପରେ ଡୋକରୀ ଦେବୀଙ୍କ ପୂଜା ସ୍ଥଳକୁ ପହଞ୍ଚିଥିଲେ। ପୀଠରେ ପୂଜାର୍ଚ୍ଚନା ପରେ ବିଭିନ୍ନ ଦେବାଦେବୀଙ୍କ ଲାଠି କାଲିଶୀ ଦେବୀଙ୍କ ପୀଠରୁ ଡୋକରୀ ଚଞ୍ଚରା ପରିସରରେ ପରିକ୍ରମା କରି ଶ୍ରୀରାମ ମନ୍ଦିର ଦର୍ଶନ କରି ପୁଣି ପୀଠକୁ ଫେରିଥିଲେ। ଏହି ସମୟରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମା’ଙ୍କୁ ଦର୍ଶନ କରିବା ସହ ଆର୍ଶିବାଦ ଭିକ୍ଷା କରି ମାନସିକ କରିଥିଲେ। ପରେ ଡୋକରୀ ଦେବୀଙ୍କ ନିକଟରେ ବଳି ପଡ଼ିଥିଲା। କୁହାଯାଏ ମହାପ୍ରଭୁ ଶ୍ରୀରାମ ତ୍ରୈତୟା ଯୁଗରେ ବନବାସ ସମୟରେ ଆଦିବାସୀ ମାନଙ୍କ ସହିତ ନିବିଡ଼ ସମ୍ପର୍କ ରହିଥିଲା। ଏବଂ ଏହି ସମୟ ମଧ୍ୟରେ ଆଦିବାସୀଙ୍କ ସହିତ ମିଲିମିଶି ଧନୁ ଶିକ୍ଷା, ଖାଦ୍ୟପେୟ ଆଦି ଶିକ୍ଷା ଲାଭ କରିଥିଲେ। ତେବେ ଫେରିବା ସମୟରେ ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇ ଫେରିଥିବା ଅନେକ କୁହନ୍ତି। ତେଣୁ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଆଦିବାସୀ ମାନଙ୍କ ଆଦୀମ ପରମ୍ପରା ଅନୁସାରେ ପାଲିତ ହୋଇ ଆସୁଛି ଦେବୀଙ୍କ ମଣ୍ଡେଇ ଯାତ୍ରା। ଡୋକରୀ ଦେବୀଙ୍କ ପୁଝାରୀ ମାନସିଂ ପୁଝାରୀ, ଶିରା ନବେ ମାଝୀ ପ୍ରମୁଖ ପୁଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଡୋକରୀ ଚଞ୍ଚରା ଉନ୍ନୟନ କମିଟି(ଇଟିଜି) ସଭାପତି ଡମ୍ବରୁ ମାଝୀ, ସମ୍ପାଦକ ମଣିରାମ ବାଣୁଆ, ସହ ସମ୍ପାଦକ ଖଗେଶ୍ୱର ପାଣିଗ୍ରାହୀ, ସରପଞ୍ଚ ହରିପ୍ରିୟା ନାଗ, ଶିବପ୍ରସାଦ ବାଣୁଆ, ପଦ୍ମନ ଚଲାନ, ବିରେନ କନ୍ଦ, ପରମାନନ୍ଦ ନାଗ, ଦିଲୀପ ନାଏକ, ଯୋଗୀନ୍ଦ୍ର ପୁଝାରୀ, କିଶୋର ସା, ମଞ୍ଜିତ ମାଝୀ, ମୁକୁନ୍ଦ ନିଏଲ, ତ୍ରିନାଥ ପୁଝାରୀ, ଜଗା ପୁଝାରୀ, ରଘୁନାଥ ଖମାରୀ, ଦେବି ସିଂ ନାଗ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
