ହାଇଦ୍ରାବାଦରୁ ଫେରୁଛି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ ଦେହ

କୋକସରା/କ୍ରାନ୍ତିକ୍ଷେତ୍ର : ଗତ କିଛି ମାସ ମଧ୍ୟରେ ରାଜ୍ୟ ବାହାର ରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ବିଭିନ୍ନ ଗ୍ରାମକୁ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଛି। ପୁଣି ଆଉ ଜଣେ ଦାଦନ ଶ୍ରମିକର ମୃତ୍ୟୁ ପରେ ଗାଁକୁ ମୃତଦେହ ଫେରୁଥିବା ନେଇ ସୂଚନା ମିଳିଛି। କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ଚିଲିଗୁଡା ଗ୍ରାମର ସ୍ବର୍ଗତ ଲମ୍ବୁ ବାଗଙ୍କ ବଡ଼ ପୁଅ ବସନ୍ତ ବାଗ(୨୧)ଙ୍କ ଗତକାଲି ହାଇଦ୍ରାବାଦ ଠାରେ ମୃତ୍ୟୁ ହୋଇଛି। ଏବେ ତାଙ୍କର ମର ଶରୀର ନିଜ ଭିଟାମାଟିକୁ ଫେରୁଥିବା ଖବର ପ୍ରଚାରିତ ପରେ ଚିଲିଗୁଡା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି।

        ସୂଚନା ଅନୁସାରେ, ଗତ ବର୍ଷେ ତଳେ ରୋଜଗାର ଆଶାରେ ବସନ୍ତ ଘର ଛାଡ଼ି ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିଲେ। ଏବଂ ସେଠାକାର ଏକ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ। ହେଲେ ଗତକାଲି ତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। କମ୍ପାନୀ କର୍ମଚାରୀ ଓ ସାଥି ଶ୍ରମିକ ମାନେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବସନ୍ତ ର ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ବସନ୍ତଙ୍କ ମର ଶରୀର କମ୍ପାନୀ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଭିଟାମାଟିକୁ ଫେରୁଥିବା ଖବର ମିଳିଛି। ସୂଚନା ଯେ, ବାପାଙ୍କ ମୃତ୍ୟୁ ପରେ ବସନ୍ତ ତାଙ୍କ ମା’ ଓ ସାନ ଭାଇ ଙ୍କୁ ନେଇ ତାଙ୍କ ପରିବାର ରହିଥିଲା। ଘରର ଆର୍ଥିକ ପରିସ୍ଥିତି ହେତୁ ଗାଁରେ ମା’ ଓ ସାନ ଭାଇଙ୍କୁ ଛାଡ଼ି ବର୍ଷେ ତଳେ ହାଇଦ୍ରାବାଦ କୁ ଦାଦନ ଖଟିବାକୁ ଯାଇଥିଲେ। ତେବେ ବସନ୍ତ ଘରର ଏକମାତ୍ର ରୋରଗାରକ୍ଷମ ଯୁବକ ଥିଲେ। ଏବେ ତାଙ୍କର ମୃତ୍ୟୁ ପରେ ପରିବାର ଅସହାୟ ହୋଇଯାଇଛି।