ରାଜ୍ୟସ୍ତରୀୟ ମହିଳା ପ୍ରାକୃତିକ ଚାଷୀ ସମ୍ମିଳନୀ ଅନୁଷ୍ଠିତ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର, ନବରଙ୍ଗପୁର ଠାରେ ଅଗ୍ରଗାମୀ ଏନଜିଓ ତରଫରୁ ଏକ ରାଜ୍ୟ ସ୍ତରୀୟ ମହିଳା ପ୍ରାକୃତିକ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ସହାୟକ ନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ, ଅତିରିକ୍ତ କୃଷି ଅଧିକାରୀ ଲକିରାଣୀ ଶତପଥୀ, ମାଣ୍ଡିଆ ରାଣୀ ଭାବେ ପରିଚିତ ରାଇମତି ଘିଉରିଆଙ୍କ ସହିତ ଅଗ୍ରଗାମୀର ନିର୍ଦେଶକ ଅଚ୍ୟୁତ ଦାସ, ବିଦ୍ୟା ଦାସ ଆଦି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲା ସହିତ କୋରାପୁଟ, ମାଲକାନଗିରି, ରାୟଗଡ଼ା, କେଉଁଝର, କଳାହାଣ୍ଡି ଆଦି ଜିଲ୍ଲାରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ମହିଳା ମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ୨୦୨୬ କୁ ଆନ୍ତର୍ଜାତୀୟ ମହିଳା କୃଷକ ବର୍ଷ ଭାବେ ଆଖ୍ୟା ଦିଆଯାଇଛି। ଏହି ଅବସରରେ ମହିଳା ଚାଷୀ ମାନଙ୍କୁ ସମ୍ମାନିତ କରିବାପାଇଁ ଓ ଚାଷ କ୍ଷେତ୍ରରେ ସେମାନଙ୍କର ଅବଦାନକୁ ଆମେ ଯେପରି ଭୁଲି ନ ଯାଉ ସେଥିପାଇଁ ଏହା ହେଉଛି ଅଗ୍ରଗାମୀ ତରଫରୁ ଏକ ଛୋଟ ପ୍ରୟାସ । ଚାଷ କ୍ଷେତ୍ରରେ ମହିଳା ମାନଙ୍କର ଅବଦାନ, ଜୈବିକ ଚାଷ ର ଉପାଦେୟତା, ଶ୍ରୀ ପଦ୍ଧତିରେ ଧାନ ଓ ମାଣ୍ଡିଆ ଚାଷ, ଫେମିଲି ଫାର୍ମ ର ବିକାଶ, ବିହନ ସଂରକ୍ଷଣ, ଛତୁ ଚାଷ ଆଦି କରି ସ୍ବାବଲମ୍ବୀ ହେବାକୁ ଜିଲ୍ଲାପାଳ ମହୋଦୟ ଓ ମାଣ୍ଡିଆ ରାଣୀ ରାଇମତି ଘୀଉରିଆ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। ଏହି ପରିପେକ୍ଷୀରେ ଅଗ୍ରଗାମୀ ତରଫରୁ ୪ ଗୋଟି ପ୍ରଦର୍ଶନୀ ଷ୍ଟଲ ମଧ୍ୟ କରାଯାଇଥିଲେ। ସେହି ଷ୍ଟଲରେ ଶ୍ରୀଅନ୍ନ ଅଭିଯାନ ପକ୍ଷରୁ ମାଣ୍ଡିଆର ଏକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ଜୈବିକଖତ ପ୍ରଦର୍ଶନୀ, ନବଗାମି କୃଷକ ଉତ୍ପାଦକ କମ୍ପାନୀ ଓ ଛତୁ ଚାଷର ଏକ ଷ୍ଟଲ ମଧ୍ୟ କରାଯାଇ ପ୍ରଦର୍ଶନ କରାଯାଇଥିଲା । ଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ତଥା ଉପସ୍ଥିତ ସମସ୍ତ ମହିଳା ସଦସ୍ୟ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇ ସଭା ସମାପ୍ତ କରାଗଲା। ଅଗ୍ରଗାମୀ ତରଫରୁ କୁଳସ୍ବାମୀ ଜଗନ୍ନାଥ ଜେନା ଏହାର ପରିଚାଳନା କରିଥିଲେ ।