ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟଠାରୁ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ତିନି ଗୋଟି ପର୍ଯ୍ୟାୟରେ କାର୍ଯ୍ୟ ନିର୍ଦ୍ଧାରିତ ହୋଇଛି। ସେଥି ମଧ୍ୟରୁ ଦୁଇ ଟି ପର୍ଯ୍ୟାୟ କାର୍ଯ୍ୟ ୨୬ କିଲୋମିଟର ପାଇଁ ପ୍ରାୟ ୪୭ କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ଜାରି ରହିଛି। କିନ୍ତୁ କାର୍ଯ୍ୟରେ ରାଜସ୍ବ, ବନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ସହଯୋଗ କି ସମନ୍ୱୟ ରହୁନଥିବା ଅଭିଯୋଗ ମଧ୍ୟରେ ରାସ୍ତାରେ ପିଚୁ ପଡ଼ି ସାରିଲାଣି। ରାସ୍ତା ନିର୍ମାଣରେ ବୈଷୟିକ ମାପଦଣ୍ଡ ମଧ୍ୟ ଠିକ ସଂସ୍ଥା ଅବଲମ୍ବନ କରୁ ନ ଥିବା ଦୃଷ୍ଟି ଗୋଚର ଅଭିଯୋଗ ହେଉଛି। ରାସ୍ତା ନିର୍ମାଣରେ ମୁଖ୍ୟ ମାପଦଣ୍ଡ ସେଣ୍ଟ୍ରାଲ ଲାଇନିଂ କରାଯାଇ ନାହିଁ। ସେଣ୍ଟ୍ରାଲ ଲାଇନିଂ ନ ଥିବା ରୁ ରାସ୍ତା କେଉଁଠି ପ୍ରଶସ୍ତ ହେଉଛି ତ କେଉଁଠି ସଂକୀର୍ଣ୍ଣ ହୋଇଛି। ଖାତିଗୁଡା ସ୍ଥିତ ନବଦୟ ବିଦ୍ୟାଳୟ ସୋମୁଖରେ ହୋମ୍ସ ଉପରେ ହିଁ ପିଜୁ ଡାଲି ଚକାଚୋକ କରି ଦେଇଛି ଯାହାକୁ ଦେଖି ସ୍ଥାନୀୟ ଲୋକେ ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। କିଛି ସ୍ଥାନରେ ଅବରୋଧ କରି ରହିଥିବା ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତ କେଉଁଠି ଲାଭରେ ରହିଛନ୍ତି। ରାସ୍ତାର ଓସାର ଦଶ ମିଟର ବୋଲି କୁହାଯାଉଥିବା ବେଳେ ରାସ୍ତା ରୁ ଡ୍ରେନ ମଧ୍ୟରେ ଦୂରତା ଦଶ ମିଟର କିଛି ସ୍ଥାନରେ ରଖିଛି ଠିକା ସଂସ୍ଥା। ସେହି ଦଶ ମିଟରରୁ ଅଧିକ ଫାଙ୍କା ସ୍ଥାନରେ ବେଆଇନ ନିର୍ମାଣ ପାଇଁ ସୁଯୋଗ ସୃଷ୍ଟି କରିବା ସମ୍ଭାବନା ରହିଛି। ରାସ୍ତା ଉପର ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ଦୃଷ୍ଟି ଗୋଚର ହେଉନି। ସାମୟିକ ବେଞ୍ଚ ମାର୍କ ନ ଥିବାରୁ ରାସ୍ତା ଓ ଡ୍ରେନ ଲେବେଲିଂ ରେ ଫରକ୍ ରହିଛି। ତୁରନ୍ତ ଡ୍ରେନର ଉଚ୍ଚତା ବୃଦ୍ଧି କରି ରାସ୍ତା ଉପର ବର୍ଷା ଜଳ ନିଷ୍କାସନ ହେବା ଭଳି ବ୍ୟବସ୍ଥା ନ କରିଲେ ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ଦାବି କରୁଛନ୍ତି। ଦୁଇଟି ପର୍ଯ୍ୟୟରେ ଯେତିକି କିଲୋମିଟର ଡ୍ରେନ ନିର୍ମାଣ ଧାର୍ଯ୍ୟ ରହିଛି ସେଥିରେ ଡ୍ରେନ ନିର୍ମାଣ ଆରମ୍ଭ ଓ ଶେଷ ଅର୍ଥାତ୍ ନିଷ୍କାସନ ସ୍ଥାନ ଧାର୍ଯ୍ୟ ନାହିଁ। ଟେଣ୍ଡରରେ କେଉଁ କେଉଁ ସ୍ଥାନ ଅର୍ଥାତ୍ କେତେ କିଲୋମିଟର ରିଚ୍ ରେ ଡ୍ରେନ ହେବ ନିର୍ଦ୍ଧାରିତ କରାଯାଇ ନଥିଲା ନା ଠିକା ସଂସ୍ଥା ନିଜ ଇଚ୍ଛା ଅନୁସାରେ ନିର୍ଦ୍ଧାରିତ ପ୍ରାୟ ତିନି କିଲୋମିଟର ଡ୍ରେନ କରି ନିଜ କାମ ସାରି ଦେବା ଚକ୍କରରେ ରହିଛି। ଖାତିଗୁଡା ବଜାରରେ ବର୍ଷା ହେଲେ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ରାସ୍ତା ଉପରେ ଓ ଘରେ ପାଣି ପଶି ଯାଉଥିଲା। ବର୍ତ୍ତମାନ ଯେଉଁ ଭଳି ଡ୍ରେନ ବ୍ୟବସ୍ଥା ହୋଇଛି ପୁଣି ଜଳ ନିଷ୍କାସନ ହୋଇ ନ ପାରି ଘରେ ଓ ଦୋକାନ ଗୃହରେ ପଶିବା ସମ୍ଭାବନା କୁ ଏଡାଇ ହେବ ନାହିଁ। ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତା ନିକଟରେ ରହିଥିବା ହେତୁ ରାସ୍ତା ଓ ଡ୍ରେନ ନିର୍ମାଣରେ ମଧ୍ୟ ସାଲିସ କରି ଠିକା ସଂସ୍ଥା କାମ ସାରି ଦେଉଛି। ବିଭାଗୀୟ ଅସହଯୋଗ ମଧ୍ୟରେରେ ଠିକାସଂସ୍ଥା ବର୍ତ୍ତମାନ ପିଚୁ ପକାଇ ଚାଲିଛି ସେପଟେ ଦିନଟିଏ ବିତି ନ ଥିବା ବେଳେ ପିଚୁ ଓ ଗୋଡ଼ି ଉଠି ଯାଉଛି। ବୈଷୟିକ ନିୟମ ଅନୁସାରେ ପିଚୁ ପ୍ଲାଣ୍ଟ ରୁ ରାସ୍ତା ନିର୍ମାଣ ସ୍ଥଳରେ ପହଞ୍ଚିବା ବେଳେ ଭଜା ପିଚୁର ଉତ୍ତାପ ଶହେରୁ ସହେଦଶ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା କଥା କିନ୍ତୁ ସେହି ମାପଦଣ୍ଡ ରେ କାମ ହେଉନି। ପିଚୁ ଉଠି ଯାଉଥିବା ଅଭିଯୋଗ କରାଗଲେ ଯେଉଁ ସ୍ଥାନର ଅଭିଯୋଗ ହେଉଛି ସେହି ସ୍ଥାନରେ ପେଚ୍ କାମ ଭଳି ପୁଣି ପିଚୁ ପକାଇ ଦେଉଛି ଠିକା ସଂସ୍ଥା। ଏଭଳି ରାସ୍ତା ହେଲେ ରାସ୍ତାର ସ୍ଥାୟୀତ୍ବ ପ୍ରଶ୍ନ ଉଠୁଛି। ହେଲେ ପ୍ରଶସ୍ତିକରଣରେ ମୁଖ୍ୟ ବାଧକ ବିଦ୍ୟୁତ ବିଭାଗ ଓ ଜଙ୍ଗଲ ବିଭାଗ ସେମାନେ ସରକାରୀ କାର୍ଯ୍ୟରେ ସହଯୋଗ କରିବା ବଦଳରେ ନିର୍ଦେଶକୁ ଫୁ କରି ଉଡେଇ ଦେଇଥିବା ଭଳି ଲାଗୁଛି। ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଠିକା ସଂସ୍ଥା ପ୍ରତି ଏତେ ଦରଦ ବୁଝି ହେଉନି। କିଛି ସ୍ଥାନରେ ରାସ୍ତା ସଂକୁଚିତ ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। କଲଭର୍ଟ ନିର୍ମାଣ ରେ ବାଧକ ସାଜିଛି ମେଗା ଜଳ ଯୋଗାଣ ପ୍ରକଳ୍ପ ର ବିଛା ଯାଇଥିବା ପାଇପ।ସେହି ପାଇପ୍ ପାଇଁ ବଜାରର ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ କୃତ୍ରିମ ପୋଖରୀ ସୃଷ୍ଟି କରୁଥିଲା। ବର୍ତ୍ତମାନ ଇନ୍ଦ୍ରାବତୀ ବଜାରରେ ଦୁଇ ରୁ ତିନି କଳଭର୍ଟ ନିର୍ମାଣ ଆବଶ୍ୟକ ଥିବା ବେଳେ ନ କରି ପିଚୁ ପକାଇ ରାସ୍ତା ନିର୍ମାଣ ଶେଷ କରି ଦେଲାଣି ଠିକା ସଂସ୍ଥା। ବର୍ଷା ଜଳ ବିପର୍ଯ୍ୟୟ ସୃଷ୍ଟି କରିବା ସମ୍ଭାବନା କୁ ଏଡାଇ ଦିଆଯାଇ ନ ପାରେ। ଦୁଇ ଟି ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଙ୍କ ଗ୍ରାଉଣ୍ଡ ଜିରୋ ରୁ ସ୍ଥିତି ଯାଞ୍ଚ ଓ ସଂପୃକ୍ତ ଦୁଇ ମେଗା ଜଳ ଯୋଗାଣ ପ୍ରକଳ୍ପ ଠିକା ସଂସ୍ଥା କୁ ନିର୍ଦ୍ଦେଶ ପରେ ମଧ୍ୟ ପାଇପ୍ ର ସ୍ଥିତି ଅପରିବର୍ତ୍ତିତ। ରାସ୍ତା ନିର୍ମାଣ ପରେ ସ୍ଥାୟୀତ୍ବ ଓ ଡ୍ରେନେଜ୍ ବ୍ୟବସ୍ଥା ପରେ ପୁନଃ ଅବୈଧ କବଜା ଆଦି ସୃଷ୍ଟି ନେଇ ଆଶଙ୍କା ସୃଷ୍ଟି ହେଉଛି।
