ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ, ମୈଦଲପୁର ସରପଞ୍ଚ ଦାୟିତ୍ଵ ନେଲେ ନାଏବ ସରପଞ୍ଚ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ପାପଡାହାଣ୍ଡି ଜିଲ୍ଲା ବ୍ଲକ ମୈଦଲପୁର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ୧୩ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏଣୁ ଗତ ନଭେମ୍ବର ୧୧ ତାରିଖ ଦିନ ଭୋଟ ଗ୍ରହଣ କରାଯାଇ ଥିଲା। ଏଥିରେ ୧୯ ଗୋଟି ଭୋଟ ପଡ଼ିଥିବାବେଳେ ୧୫ ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତଦାନ କରିଥିଲେ ଓ ୪ଜଣ ସଭ୍ୟ ବିପକ୍ଷ ରେ ମତଦାନ ପ୍ରଦାନ କରିଥିଲେ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ପତ୍ର ସଂଖ୍ୟା ୧୪୮/୨୦୨୬ ମାଧ୍ୟମରେ ସରପଞ୍ଚ ପଦ ହରାଇଥିବା ଦର୍ଶାଇବା ସହ ନାଏବ ସରପଂଚ ପଦ ସମ୍ଭାଳିବା ନେଇ ଦର୍ଶାଇବା ପରେ ନାଏବ ସରପଂଚ ବନିତା ପଟ୍ଟନାୟକ ସରପଂଚ ପଦ ହାତେଇଛନ୍ତି। ସୂଚନା ଥାଉକି ମୈଦଲପୁର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ୧୩ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଂଚ ଅନାସ୍ଥା ପ୍ରସ୍ତାବ ଆଗତ କରି ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ମୈଦଲପୁର ଗ୍ରାମପଞ୍ଚାୟତ ୨୨ଟି ୱାର୍ଡକୁ ନେଇ ଗଠିତ। ଗତ ୩ ବର୍ଷ ହେବ ଏହି ପଞ୍ଚାୟତର ସରପଞ୍ଚ ଭାବେ ଚନ୍ଦ୍ରଧ୍ଵଜ ମାଝୀ ନିର୍ବାଚିତ ହୋଇ ଦାୟିତ୍ଵ ତୁଲାଉଛନ୍ତି। ତେବେ ୱାର୍ଡ ସଭ୍ୟମାନେ ଉପଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗରେ ସରପଞ୍ଚ  ମାସିକ ବୈଠକରେ ଆୟବ୍ୟୟ ଉପସ୍ଥାପନ କରୁନାହାନ୍ତି। ସେହିପରି ଅନୁମୋଦିତ ପ୍ରକଳ୍ପ ଅନ୍ୟ ପଞ୍ଚାୟତର ଠିକାଦାର ଦ୍ବାରା କରାଇବା, ପଞ୍ଚାୟତ ପାଣ୍ଠି ହଡ଼ପ କରିବା, ପଞ୍ଚାୟତର ସମ୍ପତ୍ତି ଉପସ୍ଥାପନା ନକରି ମନମୁଖୀ ଶାସନ ଚଲାଇଛନ୍ତି, ସାପ୍ତାହିକ ହାଟ ଟିକସ ଟଙ୍କା ହଡ଼ପ, ହରିଶ୍ଚନ୍ଦ ଯୋଜନା ହଡ଼ପ ଓ ମଦ ଭାଟିରୁ ବେଆଇନ ଭାବେ ଟଙ୍କା ଆଦାୟ କରିବା। ଏଭଳି ବିଭିନ୍ନ ବେଆଇନ କାର୍ଯ୍ୟରେ ସରପଞ୍ଚ ଲିପ୍ତ ରହୁଛନ୍ତି। ତେଣୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ। ତେବେ ଉପଜିଲ୍ଲାପାଳ ଏନେଇ ପାପଡ଼ାହାଣ୍ଡି ବିଡିଓକୁ ଚିଠି କରି ଆସନ୍ତା ନ‌ଭେମ୍ବର ୧୧ ତାରିଖ ଦିନ ୧୨ ଘଣ୍ଟା ସମୟରେ ମୈଦଲପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପାପଡ଼ାହାଣ୍ଡି ତହସିଲଦାର ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସତନ୍ତ୍ର ବୈଠକ ସହ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ଏବେ ଆଜି ତାହାର ଫଳାଫଳ ପ୍ରକାଶ କରି ନାଏବ ସରପଞ୍ଚ  ସରପଞ୍ଚ ପଦ ହାତେଇ ଛନ୍ତି ।

Leave a Reply

Your email address will not be published. Required fields are marked *