ରାୟଗଡ଼ରେ ଆରମ୍ଭ ହେଲା ଗୃହ ଗଣନା

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ଜିଲ୍ଲାରେ ଏପ୍ରିଲ ଷୋହଳ ତାରିଖରୁ ଆରମ୍ଭ ହେଲା ଗୃହ ଗଣନା। ୧୮ ତାରିଖ ମଧ୍ୟରେ ସମସ୍ତ ଗୃହକୁ ନମ୍ବର ଦିଆଯିବା ସହ ପ୍ରତି ଗୃହ ଗଣନା ବ୍ଳକର ମ୍ୟାପ୍ ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି। ପ୍ରଥମ ଦିନ ରାୟଗଡ଼ ବ୍ଲକର ସମସ୍ତ ଗ୍ରାମ ଓ ପଡା ଗୁଡିକ ଗଣନାକାରୀ ଓ ସୁପରଭାଇଜର ପରିଦର୍ଶନ କରି ଅବସ୍ଥିତି ଅନୁସାରେ ଗୃହ ଗୁଡିକୁ ସଂଖ୍ୟାୟନ କରିବା ସହ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ରାୟଗଡ଼ ବ୍ଳକର ମୋଟ ଚାରିଶହ ଦଶ ଗୋଟି ଗୃହ ଗଣନା ବ୍ଳକ ନିମନ୍ତେ ଦୁଇ ଶହ ଚୌରାଳିଶି ଜଣ ଗଣନାକାରୀ ଓ ବୟାଳିଶି ଜଣ ପରିଦର୍ଶକ ନିଯୁକ୍ତ ହୋଇଥିବା ତହସିଲଦାର ତଥା ଚାର୍ଜ ଅଧିକାରୀ ପ୍ରିୟଦର୍ଶିନୀ ସ୍ଵାଇଁ ପ୍ରକାଶ କରିଛନ୍ତି। ପ୍ରଥମ ଦିନରେ ଏକତୃତୀୟାଂଶ କାର୍ଯ୍ୟ ସମ୍ପାଦନ ହୋଇଥିବା ସ୍ଥଳେ ଏପ୍ରିଲ ଅଠର ତାରିଖ ସୁଦ୍ଧା ଗୃହ ସଂଖ୍ୟାୟନ କାର୍ଯ୍ୟ ସରିବ, ପରେ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ। ଗୃହ ଗଣନା ପୂର୍ବରୁ ଗ୍ରାମବାସୀଙ୍କୁ ଜନଗଣନାର ଆବଶ୍ୟକତା ଓ ଦେଶରେ ତଥ୍ୟର ବ୍ୟବହାର ବିଭିନ୍ନ ଦିଗ ବିଷୟରେ ସଚେତନ କରାଯାଉଛି। ଆସନ୍ତା ମେ ମାସ ପନ୍ଦର ତାରିଖ ସୁଦ୍ଧା ଗୃହ ଗଣନା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ରାୟଗଡ଼ ତହସିଲଦାର ପ୍ରିୟଦର୍ଶିନୀ ସ୍ଵାଇଁ, ସହକାରୀ ତହସିଲଦାର ଶ୍ରୀମନ୍ତ ସାହୁ, ସହାୟକ ରଞ୍ଜନ ସିଂ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ତଦାରଖ କରୁଛନ୍ତି। ପ୍ରଥମ ଦିବସରେ ସର୍ଭେ ସମୟରେ ଉପୁଜୁଥିବା ସମସ୍ୟା ଗୁଡିକର ସମାଧାନ ନିମନ୍ତେ ତହସିଲଦାର ପ୍ରିୟଦର୍ଶିନୀ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସମୟରେ ରାୟଗଡ଼ ବ୍ଲକରେ ନିଯୁକ୍ତ ସମସ୍ତ ଗଣନାକାରୀ ଓ ପରିଦର୍ଶନକାରୀଙ୍କ ନିମନ୍ତେ ଗୁଗଲ ମିଟ୍ ମାଧ୍ୟମରେ ଏକ ଆଭାସୀ ବୈଠକ ଆୟୋଜିତ ହୋଇଥିଲା। କ୍ଷେତ୍ର ତାଲିମ ଦାତା ତଥା ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ରମେଶ ଚନ୍ଦ୍ର ସାହୁ ଯୋଗଦେଇ ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ତଥା ପ୍ରମୂଖ ଜନଗଣନା ଅଧିକାରୀ ଆଶୁତୋଷ କୁଲକର୍ଣ୍ଣି ସମସ୍ତ ଚାର୍ଜ ଅଧିକାରୀଙ୍କୁ ନିର୍ଭୁଲ ଗୃହ ଗଣନା ଓ ମ୍ୟାପ୍ ପ୍ରସ୍ତୁତି ଉପରେ ଗୁରୁତ୍ଵ ଦେବା ସହ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଅପରପକ୍ଷେ ରାୟଗଡାବାସୀଙ୍କୁ ସଠିକ ତଥ୍ଯ ପ୍ରଦାନରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି।