ସିଜିମାଳି ପ୍ରସଙ୍ଗରେ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କୁ କଳାହାଣ୍ଡି ସାଂସଦଙ୍କ ଦାବିପତ୍ର ପ୍ରଦାନ

କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଅବସ୍ଥିତ ସିଜିମାଲି ପାହାଡ଼ ଅଞ୍ଚଳ ଏବେ ଗୁରୁତର ଅଶାନ୍ତିରେ ଜଡିତ। ବେଦାନ୍ତ କମ୍ପାନୀ ପାଇଁ ଖଣି ପ୍ରକଳ୍ପକୁ ଆଗେଇ ନେବାକୁ ନେଇ ସ୍ଥାନୀୟ ଆଦିବାସୀଙ୍କ ଉପରେ ଚାଲିଥିବା ପ୍ରଶାସନିକ ଚାପ ଏବଂ ପୋଲିସୀୟ ଦମନକୁ ନେଇ ରାଜନୈତିକ ଓ ସାମାଜିକ ମଞ୍ଚରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହି ଘଟଣା ଏବେ ରାଜ୍ୟ ସୀମା ଛାଡ଼ି ଜାତୀୟ ମଞ୍ଚରେ ପହଞ୍ଚିଛି। କଳାହାଣ୍ଡିର ସାଂସଦ ମାଳବିକା ଦେବୀ ସିଜିମାଲି ଅଞ୍ଚଳର ପରିସ୍ଥିତିକୁ ଗୁରୁତ୍ୱ ଦେଇ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଛନ୍ତି। ସେ କହିଛନ୍ତି ଯେ, ସିଜିମାଲି ପାହାଡ଼ କେବଳ ଜମି ନୁହେଁ—ଏହା ଆଦିବାସୀ ସମୁଦାୟର ସାଂସ୍କୃତିକ ପରିଚୟ ଓ ଜୀବନଜୀବିକାର ମୂଳ ଆଧାର। ସେମାନଙ୍କ ସ୍ପଷ୍ଟ ସମ୍ମତି ବିନା କୌଣସି ଖଣି ପ୍ରକଳ୍ପ ଆଗେଇ ବଢ଼ିବା ଉଚିତ୍ ନୁହେଁ। ପରିବେଶ ମଞ୍ଜୁରୀର ପୁନଃ ସମୀକ୍ଷା, ଗ୍ରାମସଭା ସମ୍ମତିର ସତ୍ୟାସତ୍ୟ ଯାଞ୍ଚ ଏବଂ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାରର ସୁନିଶ୍ଚିତ ସୁରକ୍ଷା ଭଳି ମୁଖ୍ୟତଃ ତିନୋଟି ଦାବି ରଖିଛନ୍ତି। କୋରାପୁଟ ସାଂସଦ ସପ୍ତଗିରି ଉଲାକା ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସହ ପ୍ରଭାବିତ ଗ୍ରାମଗୁଡ଼ିକୁ ଦେଖି ଆସିଛନ୍ତି। ସେ ତାଙ୍କ ରିପୋର୍ଟରେ ଗୁରୁତର ଅଭିଯୋଗ କରିଛନ୍ତି ଯେ, ୨୦୨୩ ଡିସେମ୍ବରରେ ହୋଇଥିବା ୮ଟି ଗ୍ରାମସଭା ଜାଲିଆତି ଓ କପୋଳକଳ୍ପିତ। ସେ ଆଉ ଅଭିଯୋଗ କରିଛନ୍ତି ଯେ, ଏପ୍ରିଲ ୬ ତାରିଖର ରାତି ୩ଟା ସମୟରେ ପୋଲିସ ବିଦ୍ୟୁତ କାଟି ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଥିଲା, ଯାହା ଗଣତନ୍ତ୍ରୀୟ ଅଧିକାରର ସ୍ପଷ୍ଟ ଉଲ୍ଲଂଘନ। ଜାତୀୟ ମଞ୍ଚରେ ପହଞ୍ଚିଲା ମାମଲା । ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏହି ଘଟଣାକୁ ଗୁରୁତ୍ୱ ଦେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ (NCST) ନିକଟରେ ଅଭିଯୋଗ କରିଛନ୍ତି। ସେ ଆଦିବାସୀଙ୍କ ଉପରେ ହୋଇଥିବା ଅତ୍ୟାଚାରର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। କମିଶନ ଏହାକୁ ଗୁରୁତ୍ୱ ସହ ଗ୍ରହଣ କରିଥିବା ସୂଚନା ମିଳିଛି। ସିଜିମାଲିରୁ ମିଳୁଥିବା ଖବର ଅନୁଯାୟୀ ୪୦ରୁ ଅଧିକ ଆନ୍ଦୋଳନକାରୀ ପୋଲିସ ଲାଠିଚାର୍ଜରେ ଆହତ ନିରୀହ ଗ୍ରାମବାସୀଙ୍କୁ ଜୋରଜବରଦସ୍ତ ଗିରଫ ମହିଳାମାନେ ମଧ୍ୟ ପୋଲିସୀୟ ଦମନର ଶିକାର, ହଜାର ହଜାର ଆଦିବାସୀ ନିଜର ଜଳ-ଜଙ୍ଗଲ-ଜମି ରକ୍ଷା ପାଇଁ ଦିନରାତି ପାହାଡ଼ରେ ରହି ପାହାଡ଼ ଜଗୁଛନ୍ତି। ସେମାନଙ୍କ ଏକମାତ୍ର ସନ୍ଦେଶ “ଜୀବନ ଯିବ, କିନ୍ତୁ ଜମି ଛାଡ଼ିବୁ ନାହିଁ।” ନିୟମଗିରି ଢାଞ୍ଚାରେ ସମାଧାନ ଦାବି ସ୍ଥାନୀୟ ଲୋକ ଏବଂ ସାମାଜିକ ସଂଗଠନମାନେ ନିୟମଗିରି ମଡେଲ୍ ଅନୁସାରେ ସ୍ୱଚ୍ଛ ଓ ନ୍ୟାୟସଙ୍ଗତ ଗ୍ରାମସଭା ପ୍ରକ୍ରିୟା ଆୟୋଜନ କରିବାକୁ ଦାବି କରୁଛନ୍ତି। ସେହି ସହ ଆନ୍ଦୋଳନକାରୀଙ୍କ ଉପରୁ ଥୋପାଯାଇଥିବା ମିଥ୍ୟା ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି ହେଉଛି। ବର୍ତ୍ତମାନ ସିଜିମାଳିର ଆନ୍ଦୋଳନ ଏକ ନୂଆ ମୋଡ଼ ଆଡକୁ ଗତି କରୁଛି। ଯେଉଁ ରାଜନୈତିକ ଦଳ ସ୍ଥାନୀୟ ଦଳୀୟ ନେତୃତ୍ୱରେ ଖଣି ଖନନକୁ ସ୍ବାଗତ ଏବଂ କମ୍ପାନୀ ସପକ୍ଷରେ ପ୍ରେସ୍ ମିଟ୍ କରିଥିଲେ ଆଜି ସେମାନେ ମଧ୍ୟ ଅସହାୟ ହୋଇପଡିଛନ୍ତି। ବିଭିନ୍ନ ଦଳର ସାଂସଦମାନଙ୍କ ଏକଜୁଟ ହସ୍ତକ୍ଷେପ ଫଳରେ ସିଜିମାଲି ଆନ୍ଦୋଳନ ଏବେ ଏକ ନୂଆ ମୋଡ଼କୁ ପ୍ରବେଶ କରିଛି। ଆସନ୍ତା ଦିନରେ ଏହା କେନ୍ଦ୍ର ଓ ରାଜ୍ୟ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଠିପାରେ।

Leave a Reply

Your email address will not be published. Required fields are marked *