ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ବ୍ଳକ ବିଜେପୁର ପଞ୍ଚାୟତ ତଳକାଳିମା ଗ୍ରାମବାସୀ ବର୍ଷବର୍ଷ ଧରି ଦୂଷିତ ପାଣି ପିଉଛନ୍ତି। ଗାଁରେ ବସୁଧା ଜଳଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇ ବର୍ଷେ ହେଲାଣି। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ। ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବାବେଳେ ପାନୀୟଜଳ ଯୋଗାଇବାକୁ ନେଇ ତଳକାଳିମା ଗ୍ରାମବାସୀ ଲାଞ୍ଜିଗତ ବିଡିଓ ଶଶାଙ୍କ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ, ଏହି ଗାଁରେ ୫୫ରୁ ଉର୍ଦ୍ଧ୍ବ ପରିବାର ରହୁଛନ୍ତି। ୩ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟଜଳ। ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୫ କିମି ଦୂରରେ ଥିବାବେଳେ ବର୍ଷ ବର୍ଷ ଧରି ଏହି ଗାଁରେ ପାନୀୟଜଳର ସମସ୍ୟା ଲାଗିରହିଛି। ଗ୍ରାମରେ ୨ଟି ନଳକୂଅ ଅଛି। କିନ୍ତୁ ୨ଟିରେ ମାର୍ଚ୍ଚ ମାସରୁ ହିଁ କମ୍ ପରିମାଣର ପାଣି ବାହାରୁଛି। ଗୋଟିଏ ହାଣ୍ଡି ପାଣି ପାଇଁ ଘଣ୍ଡା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ତେଣୁ ଏହି ଦୁଇଟି ନଳକୂପରେ ୫୫ରୁ ଉର୍ଦ୍ଧ୍ବ ପରିବାରଙ୍କୁ ପାଣି ନିଅଣ୍ଟ ହେଉଛି ବୋଲି ଗାଁ ଲୋକେ କହିଛନ୍ତି।୨୦୨୨ ମସିହାରେ ଖୋଳାଯାଇଥିଲା ଗାଁରେ ୨ଟି ଗଭୀର ନଳକୂଅ। କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ସରପଞ୍ଚ, ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିବା ପରେ ୨୦୨୪ରେ ଗାଁରେ ନିର୍ମାଣ ହୋଇଛି ବସୁଧା ପାଣି ଟାଙ୍କି। ଘରକୁ ଘର ପାଣି ପାଇପ ଲାଇନ ସଂଯୋଗ ମଧ୍ୟ ହୋଇଛି।କିନ୍ତୁ ସମ୍ପୂର୍ଣ୍ଣ ହୋଇ ୧ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଅନ୍ୟ ପଟେ କାମ ସାରି ଠିକାଦାର ଗାୟବ ହୋଇ ଯାଇଥିବାବେଳେ ବ୍ଲକ ଜଳଯୋଗାଣ ଦାଇତ୍ଵରେ ଥିବା ବିଭାଗୀୟ ଯନ୍ତ୍ରୀ ଗ୍ରାମବାସୀଙ୍କ ଅଭିଯୋଗକୁ ଅତି ହାଲୁକାରେ ନେଉଛନ୍ତି। ତେବେ ଉକ୍ତ ଗାଁରେ ଗ୍ରୀଷ୍ମପ୍ରବାହ ଯୋଗୁଁ ପାନୀୟ ଜଳ ଘୋର ସମସ୍ୟା ଦେଖିବାକୁ ମିଳିଛି। ଏହାକୁ ନେଇ ଅସହ୍ୟ ପରେ ଆଜି ତଳକାଳିମା ଗ୍ରାମର ପଲି ମାଝୀ, ଡାକେ ମାଝୀ, ମଦନ ମାଝୀ, ଘନ ନାଏକ, କୃଷ୍ଣ ନାଏକ, ସୁକାନ୍ତ ନାଏକ, ମମତା ନାଏକ, ଉର୍ମିଳା ନାଏକ, ହାରବତୀ ନାଏକ, ତେଲ ଦେଇ ମାଝୀ, ମିନ୍ଦୁ ଗୌଡ଼, ତୁଳସା ମାଝୀ, ସୁଶୀଳା ନାଏକ ସମେତ ସମସ୍ତ ଗ୍ରାମବାସୀ ପ୍ରମୁଖ ଏକତ୍ରିତ ହୋଇ ଲାଞ୍ଜିଗଡ଼ ବ୍ଳକ କାର୍ଯ୍ୟାଳୟ ଯାଇ ଲାଞ୍ଜିଗଡ଼ ବିଡିଓଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେବାସହ ସମସ୍ୟାକୁ ଉପସ୍ଥାପନା କରିଛନ୍ତି। ଏହି ସମସ୍ୟାକୁ ଗୁରୁତର ସହିତ ନେଇ ଲାଞ୍ଜିଗଡ ବିଡିଓ ଶ୍ରୀ ପାତ୍ର ଯେକୋୖଣସି ମାଧ୍ୟମରେ ହେଉ ଆସନ୍ତା କାଲି ଶନିବାର ଦିନ ଠାରୁ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

