କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକରେ ଚାଷୀ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ପ୍ରଶାସନର ଏକ ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତା ୧୮ ତାରିଖରେ କୋକସରା ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କୁ ହଠାତ୍ ବାତିଲ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଚିଠି ସଂଖ୍ୟା ୧୧୬୯ ଅନୁସାରେ, ଏହି ଶୁଣାଣି ଏବେ କୋକସରା ବଦଳରେ କଳାହାଣ୍ଡି କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଏହାକୁ ‘ଅନିବାର୍ଯ୍ୟ ପ୍ରଶାସନିକ କାରଣ’ ଦର୍ଶାଯାଇଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଚର୍ଚ୍ଚା ଜୋର ଧରିଛି। ଗତ ସପ୍ତାହେ ହେବ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଚାଷୀମାନେ ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି। ଚାଷୀଙ୍କ ଏହି ପ୍ରତିବାଦ ଓ ଜନ ଆକ୍ରୋଶର ସାମ୍ନା କରିବା ଭୟରେ ପ୍ରଶାସନ ଶେଷ ମୁହୂର୍ତ୍ତରେ ଶିବିର ବାତିଲ କରିଥିବା ସାଧାରଣରେ ଆଲୋଚନା ହେଉଛି। ଶୁଣାଣି ବନ୍ଦ ହୋଇପାରେ, କିନ୍ତୁ ଚାଷୀଙ୍କ ସ୍ୱର ନୁହେଁ’ – ଏହି ସଂକଳ୍ପ ସହ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚାଷୀ ସଂଘ ସଜବାଜ ହେଉଥିବା ଜଣାପଡ଼ିଛି। କୋକସରାଠାରେ ସପ୍ତାହେ ହେବ ଜାରି ରହିଥିବା ଗଣଧାରଣା ଏବେ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତରିତ ହେବାକୁ ଯାଉଛି। ଆସନ୍ତା ୧୯ ତାରିଖରେ ହଜାର ହଜାର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚାଷୀ ସଂଘ ଚେତାବନୀ ଦେଇ ସାରିଛି।

ସୂଚନାଯୋଗ୍ୟ ଯେ, କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ପ୍ରାୟ ୧୫ ହଜାର ଚାଷୀ ରବି ଧାନ ପଞ୍ଜୀକରଣ ସମସ୍ୟା ଯୋଗୁଁ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ଗତ ୮ ତାରିଖରେ କୋକସରା ଠାରେ ଚକାବନ୍ଦ ଆନ୍ଦୋଳନ ପରେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ସମାଧାନର ବାଟ ନବାହାରିବା ଚାଷୀଙ୍କୁ ଆହୁରି କ୍ରୋଧିତ କରିଛି। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ହଠାତ୍ ବାତିଲ ହେବା ବିଷୟରେ କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗ ଶୁଣାଣୀ ଭବାନୀପାଟଣା କୁ ସ୍ଥାନାନ୍ତରିତ ହୋଇଥିବା ପ୍ରକାଶ କରିଥିଲେ।

