ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଗୋ-ମାଂସ ବିକ୍ରି ଅଭିଯୋଗରେ ଦଳିତ ଯୁବକଙ୍କୁ ନିର୍ମମ ମାଡ଼! ଘଟଣାକୁ ବିତିଲାଣି ୧୫ ଦିନ, ହେଲେ ଏବେ ବି ଅଞ୍ଚଳରେ ଲାଗିରହିଛି ତେଜିଲା ଉତ୍ତେଜନା। ଶେଷରେ ପୀଡିତଙ୍କ ପାଖରେ ପହଞ୍ଚିଛି ପ୍ରଶାସନ। ଗତ ମଇ ୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ତାଲଗୁଡ଼ ଗ୍ରାମରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଗୋ-ମାଂସ ବିକ୍ରୀ କରିଥିବା ଅଭିଯୋଗ ଆଣି ଚାରି ଜଣ ଦଳିତ ଯୁବକଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳିତ ସଂଗଠନ, କଂଗ୍ରେସ ଏବଂ ବିଜୁ ଜନତା ଦଳ ପକ୍ଷରୁ ଏହି ଆକ୍ରମଣକୁ ଘୋର ନିନ୍ଦା କରାଯିବା ସହ ବାସ୍ତବ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି। ବଢୁଥିବା ଜନଅସନ୍ତୋଷ ଏବଂ ରାଜନୈତିକ ଦଳଗୁଡ଼ିକର ଚାପ ପରେ ଶେଷରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଧର୍ମଗଡ ଉପ-ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ବଡ଼ ପ୍ରଶାସନିକ ଟିମ୍ ତାଲଗୁଡ଼ ଗ୍ରାମରେ ପହଞ୍ଚିଛି। ଏହି ଟିମ୍ରେ ଧର୍ମଗଡ ଏସଡିପିଓ, ଜୟପାଟଣା ବିଡିଓ, ତହସିଲଦାର, ଭାରପ୍ରାପ୍ତ ଥାନା ଅଧିକାରୀ ଏବଂ ସ୍ଥାନୀୟ ମୁଖିଗୁଡ଼ା ସରପଞ୍ଚଙ୍କ ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ ସାମିଲ ଥିଲେ। ଅଧିକାରୀମାନେ ଚାରି ଜଣ ପୀଡିତଙ୍କ ଘରକୁ ପୃଥକ୍ ପୃଥକ୍ ଭାବେ ଯାଇ ସେମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ଘଟଣାର ସ୍ଥିତି ପରଖିଛନ୍ତି। ଆଲୋଚନା ସମୟରେ ପୀଡିତ ପରିବାର ପ୍ରଶାସନ ଆଗରେ ଅଭିଯୁକ୍ତଙ୍କୁ କଠୋର ସଜା ଦେବା ପାଇଁ ଦୃଢ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ସୋଟ୍ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ହେଲେ ଅନ୍ୟ ୩ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଉପ-ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ପୀଡିତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଫେରାର ଥିବା ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି। ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ବାକି ଅଭିଯୁକ୍ତମାନେ କେବେ ଗିରଫ ହେଉଛନ୍ତି ଏବଂ ପୀଡିତ ଦଳିତ ଯୁବକମାନଙ୍କୁ କେବେ ନ୍ୟାୟ ମିଳୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

