ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲପାସ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ରାଧାଗୋବିନ୍ଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ–୨୦୨୬ ଉଦଯାପିତ ହୋଇଯାଇଛି। ରୋମାଞ୍ଚକର ଫାଇନାଲ ମ୍ୟାଚରେ କଲମପୁର ବ୍ଲକର ଗୁମାବାହାଲ ଟିମ୍ ପଡୋଶୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ଏମ୍ ଇଲେଭେନ୍ ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗୁମାବାହାଲ ଦଳ ନିର୍ଦ୍ଧାରିତ ୧୨ ଓଭରରେ ୮ ଉଇକେଟ୍ ହରାଇ ୧୨୬ ରନ୍ ସଂଗ୍ରହ କରିଥିଲା। ଜବାବରେ ୧୨୭ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଏମ୍ ଇଲେଭେନ୍ ଦଳ ୧୧ ଓଭରରେ ସମସ୍ତ ଉଇକେଟ୍ ହରାଇ ୯୫ ରନ୍ରେ ସୀମିତ ରହିଥିଲା। ଫଳରେ ଗୁମାବାହାଲ ଟିମ୍ ୩୧ ରନ୍ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଖିତାବ ଜିତିଥିଲା। ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ସେମିଫାଇନାଲରେ ମଣ୍ଟୁ ଇଲେଭେନ୍କୁ ପରାସ୍ତ କରି ଏମ୍ ଇଲେଭେନ୍ ଫାଇନାଲକୁ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ବେନ୍ଦାଝୋଲା ଦଳକୁ ହରାଇ ଗୁମାବାହାଲ ଫାଇନାଲରେ ସ୍ଥାନ ପକାଇଥିଲା। ଫାଇନାଲ ମ୍ୟାଚରେ ଗୁମାବାହାଲ ଦଳର ଖେଳାଳି ରମେଶ “ମ୍ୟାନ୍ ଅଫ୍ ଦ ମ୍ୟାଚ” ପୁରସ୍କାର ହାସଲ କରିଥିବା ବେଳେ ଏମ୍ ଇଲେଭେନ୍ ଦଳର ରାଜ୍ “ମ୍ୟାନ୍ ଅଫ୍ ଦ ସିରିଜ୍” ଭାବେ ସମ୍ମାନିତ ହୋଇଥିଲେ। ଉଦଯାପନୀ ଦିବସରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ବିଜେପି ଏସ୍ସି ସେଲ୍ ସଭାପତି ବିଷ୍ଣୁ ନାଏକ, ଯୁବ ନେତା ସୁଜାନ ନାଏକ, ଆଲୋକ ନାଏକ, ଅତ୍ରୀ ପଞ୍ଚାୟତ ସରପଞ୍ଚ ନନ୍ଦାଇ ମାଝୀ ଓ ସମିତି ସଭ୍ୟ ରାମ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଜେତା ଗୁମାବାହାଲ ଦଳକୁ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ଉପବିଜେତା ଏମ୍ ଇଲେଭେନ୍ ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଅମ୍ପାୟର ଭାବେ ବିଜୟ ମାଝୀ ଓ ଗଣେଶ ନାଏକ ଦାୟିତ୍ୱ ସଫଳତାର ସହ ପାଳନ କରିଥିବା ବେଳେ ସ୍କୋରବୋର୍ଡ ଦାୟିତ୍ୱରେ ନମେନ୍ଦ୍ର ମାଝୀ ଥିଲେ। ଆୟୋଜକ କମିଟିର ସଭାପତି ଉପେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଉଗ୍ରେସର ନାଏକ, କୃଷ୍ଣଚନ୍ଦ୍ର ସାହୁ, ସାଗୁରାମ ନାଏକ, ଅଭିରାମ ଠାକୁର, ସାନ ନାଗ, ମଦନ ସାହୁ, ମଦନ ମୁଦୁଲି, ଅମୃତ ନାଏକ ଓ ବଂଶଧର ନାୟକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ସଫଳ ଭାବେ ଏହି କ୍ରିକେଟ ପ୍ରତିଯୋଗିତା ସମ୍ପନ୍ନ ହୋଇଥିଲା।

