ପି-ପାସ୍ ପୋର୍ଟାଲ୍ ଖୋଲିବା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପରେ ଆଜିଠାରୁ କୋକସରା ଚାଷୀଙ୍କ ଭୁକ ହରତାଳ

କୋକସରା/କ୍ରାନ୍ତିକ୍ଷେତ୍ର : ରବି ଧାନର ପଞ୍ଜୀକରଣ ଏବଂ ପି-ପାସ୍ ପୋର୍ଟାଲ୍ ଖୋଲିବା ଦାବିରେ କଳାହାଣ୍ଡି ଜିଲ୍ଲା କୋକସରାଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ଗତକାଲି ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରଶାସନକୁ ଚେତାବନୀ ଦେଇଥିବା ବେଳେ, ଆଜିଠାରୁ କୋକସରାଠାରେ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଚାଷୀମାନେ ସାମୂହିକ ‘ଭୁକ ହରତାଳ’ (ଅନଶନ) ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ରବି ଋତୁରେ କୋକସରା, ଜୟପାଟଣା ଏବଂ ଧର୍ମଗଡ଼ ବ୍ଲକର ପ୍ରାୟ ୧୫ ହଜାରରୁ ଅଧିକ ଚାଷୀ ପ୍ରଭୂତ କଷ୍ଟ ସ୍ୱୀକାର କରି ଧାନ ଚାଷ କରିଛନ୍ତି। କିନ୍ତୁ ସରକାରୀ ସ୍ତରରେ ପି-ପାସ୍ ପୋର୍ଟାଲ୍ ରେ ମେଗା ଉଠାଜଳସେଚନ ବିକଳ୍ପ ନଆସିବା ଏବଂ ପଞ୍ଜୀକରଣ ପ୍ରକ୍ରିୟାରେ ଅବ୍ୟବସ୍ଥା ଯୋଗୁଁ ଏହି ସମସ୍ତ ଚାଷୀଙ୍କ ଧାନ ବିକ୍ରି ଏବେ ସମ୍ପୂର୍ଣ୍ଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଫସଲ ଅମଳ ସମୟ ପାଖେଇ ଆସୁଥିଲେ ହେଁ ସରକାର ଧାନ କିଣିବା ପାଇଁ ସୁବ୍ୟବସ୍ଥା ନକରିବା ଚାଷୀକୂଳକୁ ଗଭୀର ଚିନ୍ତାରେ ପକାଇଛି। ପୋର୍ଟାଲ୍ ତୁରନ୍ତ ଖୋଲିବା ଏବଂ ଚାଷୀଙ୍କ ନାମ ପଞ୍ଜୀକରଣ କରିବା ଦାବି ନେଇ ଗତକାଲି ଇନ୍ଦ୍ରାବତୀ ଉଠା ଜଳସେଚନ ଚାଷୀ ସଂଗଠନ ଏବଂ ସ୍ଥାନୀୟ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସରକାରଙ୍କ ଚାଷୀ ବିରୋଧୀ ମନୋଭାବକୁ ନେଇ ସେଠାରେ ଚାଷୀ ଓ ବିଭିନ୍ନ ଦଳର ରାଜନୈତିକ ଦଳର ନେତା ମାନେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଚାଷୀ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ଗତକାଲିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପରେ ମଧ୍ୟ କୌଣସି ସ୍ପଷ୍ଟ ସକାରାତ୍ମକ ପ୍ରତିଶ୍ରୁତି ନମିଳିବାରୁ, ଆଜି କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀମାନେ ଆଜିଠାରୁ ୨୬ ଜାତୀୟ ରାଜପଥ କୋକସରାଠାରେ ଅନଶନରେ ବସିଛନ୍ତି। ଚାଷୀ ନେତାମାନଙ୍କ କହିବା କଥା, “ଇନ୍ଦ୍ରାବତୀ ପ୍ରକଳ୍ପରୁ ପାଣି ନେଇ ଚାଷୀ କଷ୍ଟ କରି ଧାନ ଫଳାଇଛି, ହେଲେ ଏବେ ପି-ପାସ୍ ପୋର୍ଟାଲ୍ ମେଗା ଲିଫ୍ଟ ବିକଳ୍ପ ନଥିବା ଦେଖାଇ ଚାଷୀଙ୍କୁ ମଣ୍ଡିରୁ ଦୂରେଇ ରଖିବାକୁ ଚକ୍ରାନ୍ତ କରାଯାଉଛି। ୧୫ ହଜାର ଚାଷୀଙ୍କ ଭବିଷ୍ୟତକୁ ନେଇ ଆମେ ପ୍ରଶାସନକୁ ଖେଳ ଖେଳିବାକୁ ଦେବୁ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଏହି ସାମୂହିକ ଭୁକ ହରତାଳ ଯୋଗୁଁ ଅଞ୍ଚଳରେ ଚାଷୀଙ୍କ ମଧ୍ୟରେ ପ୍ରବଳ ଜନଜାଗରଣ ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିନଥିବା ବେଳେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଅନଶନ ପ୍ରତ୍ୟାହାର ହେବ ନାହିଁ ବୋଲି ଚାଷୀ ସଂଗଠନ ଜିଦ୍‌ରେ ଅଟଳ ରହିଛି।