କଳାହାଣ୍ଡି ପୋଲିସକୁ ବଡ଼ ସଫଳତା, ୪୪ ଗୋଟି ଚୋରି ବାଇକ ଜବତ, ୬ ଗିରଫ

ଭବାନୀପାଟଣା/ଜୁନାଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ପୋଲିସ ପଞ୍ଜାରେ ପଡ଼ିଛି ଆନ୍ତଃ-ଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ। ଗୋଟିଏ କି ଦୁଇଟି ନୁହେଁ, ବରଂ ଜବତ ହୋଇଛି ୪୪ ଗୋଟି ଚୋରି ବାଇକ୍। ଏହା ସହ ଏହି ସାଂଘାତିକ ଚୋରି ଗ୍ୟାଙ୍ଗରେ ସାମିଲ ଥିବା ୬ ଜଣ କୁଖ୍ୟାତ ଚୋରକୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏବଂ ଭବାନୀପାଟଣା ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି କଳାହାଣ୍ଡି ଏସ.ପି। ଗତ କିଛି ଦିନ ହେବ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କ୍ରମାଗତ ଭାବେ ବାଇକ୍ ଚୋରି ହେଉଥିବା ନେଇ ଭିନ୍ନ ଭିନ୍ନ ଥାନାରେ ଏତଲା ଦିଆଯାଉଥିଲା। ଜନଗହଳି ପୂର୍ଣ୍ଣ ମାର୍କେଟ ଅଞ୍ଚଳ, ଅଫିସ ବାହାର ଏବଂ ଘର ସାମ୍ନାରେ ରହୁଥିବା ଗାଡ଼ି ଗୁଡ଼ିକୁ ଟାର୍ଗେଟ କରୁଥିଲେ ଏହି ଚତୁର ଚୋର। ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲେ କଳାହାଣ୍ଡି ଏସ.ପି ନାଗରାଜ ଦେବରକୋଣ୍ଡା ଏବଂ ଚୋରଙ୍କୁ ଧରିବା ପାଇଁ ଗଠନ କରିଥିଲେ ଏକ ସ୍ୱତନ୍ତ୍ର ଟିମ୍। ତେବେ କେମିତି କାମ କରୁଥିଲା ଏହି ସାଂଘାତିକ ଗ୍ୟାଙ୍ଗ? ଏସ.ପିଙ୍କ ସୂଚନା ଅନୁଯାୟୀ, ଜୁନାଗଡ଼ ଅଞ୍ଚଳର ସୁରଜ କୈବର୍ତ୍ତ, ପବନ କୈବର୍ତ୍ତ ଏବଂ ଆଲୋକ ବାରିକ ବିଭିନ୍ନ ସ୍ଥାନରୁ ପ୍ରଥମେ ବାଇକ ଗୁଡ଼ିକୁ ଚୋରି କରୁଥିଲେ। ଏହାପରେ ସେମାନେ ଗାଡ଼ିଗୁଡ଼ିକୁ ଗ୍ୟାଙ୍ଗର ଅନ୍ୟ ତିନି ସଦସ୍ୟ ଆକାଶ କୈବର୍ତ୍ତ, ଚାନ୍ଦ ନାଏକ ଏବଂ ସମୀର ଦୁର୍ଗାଙ୍କୁ ହସ୍ତାନ୍ତର କରୁଥିଲେ। ଏହି ତିନିଜଣ ଚୋରି ବାଇକ୍ ଗୁଡ଼ିକର ରଙ୍ଗ ବଦଳାଇବା ସହ ସେଥିରେ ନକଲି ବା ଡୁପଲିକେଟ ନମ୍ବର ପ୍ଲେଟ୍ ଲଗାଉଥିଲେ। ଏବଂ ପରେ ସାଧାରଣ ଲୋକଙ୍କୁ ଖୁବ୍ କମ୍ ଦାମରେ ଏହି ଚୋରି ଗାଡ଼ି ଗୁଡ଼ିକୁ ବିକ୍ରି କରି ଦେଉଥିଲେ। ଗତ ମାସ ୧୩ ତାରିଖରେ ଜୁନାଗଡ଼ ଥାନାରେ ଏକ ବାଇକ ଚୋରି ମାମଲା ରୁଜୁ ହେବା ପରେ ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଜୁନାଗଡ଼ରୁ ଜଣେ ଚୋରକୁ ଗିରଫ କରି ପଚରାଉଚରା କରିବା ପରେ ପୁରା ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି। ସମୁଦାୟ ୪୪ଟି ବାଇକ ଜବତ କରାଯାଇଛି ଏବଂ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।” ନିଜର ହଜିଯାଇଥିବା ପ୍ରିୟ ବାଇକକୁ ପୁଣି ଥରେ ଫେରିପାଇବା ପରେ ଗାଡ଼ି ମାଲିକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବାଇକ ମାଲିକମାନେ କଳାହାଣ୍ଡି ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *