ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧୀନ ସମାପଲା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସାପ କାମୁଡାରେ ଜଣେ ବିବାହିତ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ଦାନ ମାଝୀ। ସୂଚନା ଅନୁଯାୟୀ, ଦାନ ମାଝୀ ଆଜି ସକାଳେ ନିଜ ଚାଷ ଜମିରେ କାମ କରୁଥିବା ବେଳେ କୌଣସି ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଡାକ୍ତରଖାନାକୁ ନେଉଥିବା ବେଳେ ଅଧବାଟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ଦାନ ମାଝୀଙ୍କ ପରିବାରରେ ସ୍ତ୍ରୀ ଓ ଗୋଟିଏ ଛୋଟ ଝିଅ ରହିଛନ୍ତି। ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଏବେ ଅସହାୟ ଅବସ୍ଥାରେ ରହିଛି। ତେଣୁ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।

