ଆମପାଣି ଘାଟିରେ ମୃତ୍ୟୁର ଫାସ ; ରାସ୍ତା ଉପରକୁ ମାଡ଼ି ଆସିଛି ସୁରକ୍ଷା ବେରିକେଡ୍

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ବ୍ଲକର ପ୍ରସିଦ୍ଧ ଆମପାଣି ଘାଟି ଏବେ ପାଲଟିଛି ସାଧାରଣ ଯାତ୍ରୀଙ୍କ ପାଇଁ ମୃତ୍ୟୁର ସୁଡ଼ଙ୍ଗ। ଜାତୀୟ ରାଜପଥ ବିଭାଗର ଚରମ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏହି ବ୍ୟସ୍ତବହୁଳ ଘାଟି ରାସ୍ତାରେ ପ୍ରତି ମୂହୁର୍ତ୍ତରେ ଜଗି ରହିଛି ଅକାଳ ମୃତ୍ୟୁ। ଯାତ୍ରୀଙ୍କ ସୁରକ୍ଷା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲଗାଯାଇଥିବା ଲୁହାର ‘ସେପ୍ଟି ବେରିକେଡ୍’ ଗୁଡ଼ିକ ଏବେ ରକ୍ଷକ ବଦଳରେ ଭକ୍ଷକ ସାଜିଛି। ସୁଚନା ଯେ’ ଘାଟିର ଏକାଧିକ ସ୍ଥାନରେ ସୁରକ୍ଷା ବେରିକେଡ୍ ଗୁଡ଼ିକ ଭାଙ୍ଗିଯାଇ ବିପଜ୍ଜନକ ଭାବେ ମୁଖ୍ୟ ରାସ୍ତା ଆଡ଼କୁ ଓହଳି ରହିଥିବା ଦେଖିବାକୁ ମିଳୁଛି। ଏହି ୨୬ ନମ୍ବର ଜାତୀୟ ରାଜପଥ ଦେଇ ଦିନରାତି ହଜାର ହଜାର ଛୋଟବଡ଼ ଯାନବାହନ, ବସ୍ ଓ ଭାରୀ ଜେସିବି/ଟ୍ରକ୍ ଚଳାଚଳ କରିଥାଏ। ବିଶେଷ କରି ରାତି ସମୟରେ କିମ୍ବା ବାଦଲପାଗ ଥିବାବେଳେ ବାହାର ଅଞ୍ଚଳର ଚାଳକମାନେ ଏହି ଓହଳି ରହିଥିବା ଲୁହା ବେରିକେଡ୍‌କୁ ଦେଖି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି। ଆମପାଣି ଘାଟି ରାସ୍ତାରେ ପ୍ରତିଦିନ କୌଣସି ନା କୌଣସି ଛୋଟବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଏହା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ବସିଛନ୍ତି। ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଜାତୀୟ ରାଜପଥ ବିଭାଗର ଏଭଳି ଉଦାସୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭଙ୍ଗା ବେରିକେଡ୍ ଗୁଡ଼ିକୁ ତୁରନ୍ତ ମରାମତି କରା ନଗଲେ ଆଗକୁ କୌଣସି ବଡ଼ ଧରଣର ଅଘଟଣ ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏନେଇ ଜୟପୁର ଜାତୀୟ ରାଜପଥ ବିଭାଗର ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ନହେବାରୁ କୌଣସି ମତାମତ ମିଲିପାରି ନାହିଁ।

Leave a Reply

Your email address will not be published. Required fields are marked *