ବିକାଶର ଧାରା କାର୍ଯ୍ୟକ୍ରମରେ ବିଶୃଙ୍ଖଳା ; ମିଡିଆ ଗ୍ୟାଲେରୀ ଆବୋରିଲେ ଦଳୀୟ କର୍ମୀ

କୋକସରା/କ୍ରାନ୍ତିକ୍ଷେତ୍ର : କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତ ଅବସରରେ ସାରା ରାଜ୍ୟରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଏଠାରେ ସ୍ୱତନ୍ତ୍ର ଷ୍ଟଲ୍‌ମାନ ଖୋଲାଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ମିଡିଆ ଗ୍ୟାଲେରୀ’ର ବ୍ୟବସ୍ଥା ହୋଇଥିଲା। ମାତ୍ର ପ୍ରଶାସନିକ ଅବହେଳା ଓ ବିଶୃଙ୍ଖଳା ଯୋଗୁଁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଖବର ସଂଗ୍ରହ ପାଇଁ ପହଞ୍ଚିଥିବା ସାମ୍ବାଦିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ମେଡିଆ ଗ୍ୟାଲେରୀରେ ବସିବାକୁ ଚୌକି ଟିଏ ମଧ୍ୟ ନଥିଲା। ସେହି ସ୍ଥାନକୁ କେତେକ ବିଜେପି କର୍ମୀ ଓ ସାଧାରଣ ଲୋକ ମାଡ଼ି ବସିଥିବା ଦେଖିବାକୁ ମିଳିଥିଲା। ଫଳରେ ସାମ୍ବାଦିକମାନେ ପ୍ରଚଣ୍ଡ ଖରା ଓ ତାତିରେ ଦୀର୍ଘ ସମୟ ଠିଆ ହୋଇ ରହିବାକୁ ବାଧ୍ୟ ହୋଇଥିଲେ। ଏହାକୁ ନେଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଦି ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ଗ୍ୟାଲେରୀ କରାଯାଇଥିଲା, ତେବେ ସେଠାରେ ଦଳୀୟ କର୍ମୀ ଓ ଅନ୍ୟମାନଙ୍କୁ କେଉଁ ଆଧାରରେ ବସିବାକୁ ଦିଆଗଲା, ତାହାକୁ ନେଇ ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ମିଡିଆ ଗ୍ୟାଲେରୀ ନୁହେଁ, ବରଂ ନିର୍ବାଚିତ ଜନପ୍ରତିନିଧିଙ୍କ ପାଇଁ ସଂରକ୍ଷିତ ଥିବା ଆସନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଏହି ଗ୍ୟାଲେରୀକୁ ମଧ୍ୟ ବହୁ ସଂଖ୍ୟାରେ ଦଳୀୟ କର୍ମୀ ମାଡ଼ି ବସିଥିବା ବେଳେ ମାତ୍ର କେତେଜଣ ନିର୍ବାଚିତ ପ୍ରତିନିଧି ଆସନ ପାଇଥିଲେ। ଚୌକି ନପାଇ କେତେକ ସରପଞ୍ଚ ଏବଂ ସମିତି ସଭ୍ୟ କାର୍ଯ୍ୟକ୍ରମ ସ୍ଥଳରେ ଏଣେତେଣେ ବୁଲୁଥିବାର ଦୁର୍ଭାଗ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଜନପ୍ରତିନିଧିଙ୍କ ମଧ୍ୟରେ ଆକ୍ରୋଶ ବଢ଼ାଇଛି। ଏହି ସମ୍ପୂର୍ଣ୍ଣ ବିଶୃଙ୍ଖଳା ସମ୍ପର୍କରେ ସାମ୍ବାଦିକମାନେ ଯେତେବେଳେ କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରିଥିଲେ, ସେତେବେଳେ ସେ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ କହିଥିଲେ, ‘ଯଦି କେହି ଆଗରୁ ଆସି ବସି ପଡ଼ିଲେଣି, ତେବେ ତା’ପରେ ଆମେ କ’ଣ କରିପାରିବୁ?’ ଅଧିକାରୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପ୍ରଶାସନର ଆୟୋଜନ ଓ ପରିଚାଳନାଗତ ତ୍ରୁଟିକୁ ସ୍ପଷ୍ଟ ଭାବେ ପଦାରେ ପକାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ, ସମ୍ମାନିତ ଅତିଥି କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀ, କୋକସରା ମେଡ଼ିକାଲ ଅଧିକାରୀ ଡାକ୍ତର ତତ୍ବଦର୍ଶୀ ଦାସ, ସାଂସଦ ପ୍ରତିନିଧିତ୍ବ ଦୁର୍ଗା ପ୍ରସାଦ ପ୍ରଧାନୀ, ସିଡ଼ିପିଓ ସରୋଜା ସେଠିଆ ପ୍ରମୁଖ ମଞ୍ଚାସୀନ ରହିଛନ୍ତି।

Leave a Reply

Your email address will not be published. Required fields are marked *