କୋକସରା/କ୍ରାନ୍ତିକ୍ଷେତ୍ର : ପଶ୍ଚିମ ଓଡ଼ିଶାର ଗଣପର୍ବ କହିଲେ ସାଧାରଣତଃ ‘ନୂଆଖାଇ’କୁ ବୁଝାଏ। ଏହି ଅଞ୍ଚଳରେ ରଜ ପର୍ବର ପ୍ରଭାବ ସେତେଟା ନଥାଏ ଏବଂ ପ୍ରାୟତଃ ଏହା ଫିକା ପଡ଼ିଥାଏ। ମାତ୍ର ଏହି ପାରମ୍ପରିକ ଧାରାକୁ ପଛରେ ପକାଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବୋବରିଆ ଗ୍ରାମରେ ଚଳିତ ବର୍ଷ ରଜ ମହୋତ୍ସବର ଏକ ନିଆରା ଓ ଆକର୍ଷଣୀୟ ଝଲକ ଦେଖିବାକୁ ମିଳିଛି। ଗ୍ରାମର କୁମାରୀ ଝିଅମାନଙ୍କ ମଧ୍ୟରେ ଏହାକୁ ନେଇ ଅପୂର୍ବ ଉତ୍ସାହ ପ୍ରକାଶ ପାଇଛି। ବୋବରିଆ ଗ୍ରାମରେ ରଜ ପର୍ବ ବେଶ୍ ହର୍ଷୋଲ୍ଲାସର ସହ ପାଳିତ ହେଉଛି। ଗ୍ରାମର ଝିଅମାନେ ନୂଆ ପୋଷାକ ପିନ୍ଧି, ସଜବାଜ ହୋଇ ରଜ ଦୋଳିରେ ଝୁଲିବା ସହ ପାରମ୍ପରିକ ଗୀତ ଗାଇ ରଜର ଭରପୂର ମଜା ନେଉଛନ୍ତି। କେବଳ ଦୋଳି ଖେଳ ନୁହେଁ, ବରଂ ରଜର ମୁଖ୍ୟ ଆକର୍ଷଣ ସାଜିଥିବା ପୋଡ଼ ପିଠା, ମିଠା ପାନ ଓ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ସେମାନେ ଏହି ମହୋତ୍ସବକୁ ଅଧିକ ରଙ୍ଗାରଙ୍ଗ କରି ଗଢ଼ି ତୋଳିଛନ୍ତି। ଏହି ପାଳନ ସ୍ଥାନୀୟ ଅଞ୍ଚଳରେ ଏକ ସୁନ୍ଦର ସାଂସ୍କୃତିକ ସମନ୍ୱୟ ଓ ଭାଇଚାରାର ଉଦାହରଣ ସୃଷ୍ଟି କରିଛି।
ଦୋଳି ଝୁଲିଲେ, ପିଠା ପାନର ମଜା ନେଲେ କୁମାରୀ
ମହୋତ୍ସବକୁ ସଫଳ କରିବାରେ ବୋବରିଆ ଗ୍ରାମର କୋକିଲ ଲଦୁଆ, ସନ୍ତୋଷ ମାଝୀ ଓ ମଧୁସୂଦନ ମାଝୀ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରି ସମସ୍ତ କାର୍ଯ୍ୟ ପରିଚାଳନା କରିଛନ୍ତି। ଏହି ରଜ ଉତ୍ସବରେ ଗ୍ରାମର କୁମାରୀ ଝିଅ ଉର୍ବଶୀ ଲଦୁଆ, ଚୁଡ଼ା ମାଝୀ, ପ୍ରେମ ମାଝୀ, ଦୁତୀକା ମାଝୀ, କ୍ଷୀତିପ୍ରିୟା ମାଝୀ, ଡିଲେଶ୍ବରୀ, ତପସ୍ଵିନୀ, ରୋହିଣୀ ଓ ମଲ୍ଲିକାଙ୍କ ସମେତ ଶତାଧିକ ଝିଅ ସାମିଲ ହୋଇ ପର୍ବର ଆନନ୍ଦ ଉଠାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏଭଳି ଆୟୋଜନକୁ ପ୍ରଶଂସା କରାଯାଇଛି।

