କୋକସରା/କ୍ରାନ୍ତିକ୍ଷେତ୍ର : ଗତ କାଲିଠାରୁ ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ କୋକସରା ବ୍ଳକର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗିବା ସହ ମାଟି ଘରଗୁଡ଼ିକ ଭୁଶୁଡ଼ି ପଡ଼ିଥିବାର ଦେଖିବାକୁ ମିଳୁଛି। କାଉଡୋଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହାଜନଗୁଡ଼ା ଗ୍ରାମର ଗିରିଧାରୀ ନିଆଲଙ୍କ ମାଟି ଘର ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତିରେ ଗିରିଧାରୀ ନିଆଲ, ତାଙ୍କ ସ୍ତ୍ରୀ, ନାତି ଏବଂ ନାତୁଣୀ ଘର ଭିତରେ ଶୋଇଥିଲେ। ତେବେ ଦୀର୍ଘ ଦିନରୁ ଜରାଜୀର୍ଣ୍ଣ ଓ ଦୁର୍ବଳ ଅବସ୍ଥାରେ ଥିବା ତାଙ୍କର ମାଟି କୁଡ଼ିଆଟି କ୍ରମାଗତ ବର୍ଷାକୁ ସହ୍ୟ କରିନପାରି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ତେବେ ଭାଗ୍ୟବଶତଃ ଘର ଭାଙ୍ଗିବା ଶବ୍ଦ ଶୁଣି ପରିବାର ସଦସ୍ୟମାନେ ସତର୍କ ହୋଇ ତୁରନ୍ତ ବାହାରକୁ ଚାଲିଆସିବାରୁ ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘର ଭାଙ୍ଗିଯିବା ପରେ ମୁଣ୍ଡରେ ଛାତ ଖଣ୍ଡେ ହରାଇ ଏହି ଗରୀବ ପରିବାରଟି ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି। ପରିବାର ଲେକେ ବର୍ଷା ଦିନେ କେଉଁଠାରେ ଆଶ୍ରୟ ନେବେ ସେ ନେଇ ଚିନ୍ତାରେ ଅଛନ୍ତି। ତେଣୁ ପ୍ରଶାସନ ତରଫରୁ ତୁରନ୍ତ ଉକ୍ତ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇ ଦେବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି।
