କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସଦର ମହକୁମାସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ ଏବଂ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସୁବ୍ରତ କୁମାର ବେହେରା ଯୋଗଦେଇ ମଞ୍ଚାସିନ ଥିଲେ। ଏହି ଅବସରରେ ଅତିଥିମାନେ ଏନ୍ଏସ୍ଏସ୍ ଜରିଆରେ ସମାଜସେବା ଓ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଧିକାରିଣୀ ତଥା ଅଧ୍ୟାପିକା କନକ ମଞ୍ଜୁରୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାସହ କଲେଜର କୃତି ଛାତ୍ରୀ ତୁଳସୀ ରାଉତ ରାଜ୍ୟସ୍ତରୀୟ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ନିଜର ଅନୁଭୂତି ସମସ୍ତଙ୍କ ସହ ବାଣ୍ଟିଥିଲେ। ଅଧ୍ୟାପକ ଓଁକାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଧ୍ୟାପିକା ସ୍ମୃତିମୟୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
