କୋକସରା/କ୍ରାନ୍ତିକ୍ଷେତ୍ର : ବାତ୍ୟା ‘ଅର୍ଣ୍ଣବ’ (ଗଭୀର ଅବପାତ) ପ୍ରଭାବରେ କୋକସରା ବ୍ଲକ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଛି। କଳାହାଣ୍ଡି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ କୋକସରା ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଛି ଏବଂ ଆଜି ରାତି ସାରା ମଧ୍ୟ ଲଗାଣ ବର୍ଷା ସମ୍ଭାବନା ରହିଛି। ବ୍ଳକରେ ଗତକାଲିଠାରୁ ଲଗାଣ ବର୍ଷା ଓ ପବନ ଜାରି ରହିଥିବାବେଳେ ଅନେକ ସ୍ଥାନରେ ଗଛଡାଲ ପଡ଼ିବା ସହ କେତେକ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ତେବେ କନ୍ଦାବୁଟୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁନଗାଁର ଭୁଜବଳ ପାଣିଗ୍ରାହୀଙ୍କ ଘର ଉପରେ ଏକ ବିରାଟ ବଡ଼ ଗଛ ଭାଙ୍ଗି ପଡ଼ିଥିଲା। ତେବେ ଭାଗ୍ୟବଶତଃ ଘରେ ଥିବା ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘରଟି ଭାଙ୍ଗି ନଷ୍ଟ ହୋଇଯାଇଛି। ର୍ଘଟଣା ସମ୍ପର୍କରେ ଖବର ପାଇ କୋକସରା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ କୁମାର ବାଘଙ୍କ ନେତୃତ୍ୱରେ କର୍ମଚାରୀ କଶ୍ୟପ କୁମାର ପଟ୍ଟନାୟକ, ସୁନିଲ ରଞ୍ଜନ ବରାଲ, ଲଲିତ ପୁଟେଲ, ଉମାଶଙ୍କର ନାଏକ, ରାଧେଶ୍ୟାମ ପ୍ରଧାନୀ, ଦେବାଶିଷ ମହାପାତ୍ର ଏବଂ ବିଶ୍ବଜିତ ଜେନା ପ୍ରମୁଖ ପହଞ୍ଚି କ୍ଷତିଗ୍ରସ୍ତ ଘର ଉପରୁ ଗଛଟିକୁ କାଟି ଅପସାରଣ କରିଛନ୍ତି। ଅନ୍ୟପଟେ ଘର ଭାଙ୍ଗି ଯିବାରୁ ଉକ୍ତ ପରିବାରବର୍ଗ ଚିନ୍ତିତ ରହିଛନ୍ତି।
