ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧୀରି ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତରେ ଦୀର୍ଘ ପ୍ରାୟ ୪୦ ବର୍ଷ ଧରି ଠିଆ ହୋଇଥିବା ଏକ ବିଶାଳ ଶିରି ଶର(ସୁରସୀଆ) ଗଛ ଏବେ ଅଞ୍ଚଳବାସୀଙ୍କ ପାଇଁ ବିପଦର କାରଣ ପାଲଟିଛି। ଗଛଟି ଘୁନସର ପ୍ରାଥମିକ ବିଦ୍ୟାଳୟ ନିକଟରେ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ପଥଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ଦୀର୍ଘ ପ୍ରାୟ ୪ ବର୍ଷ ହେବ ଗଛଟି ଶୁଖି ଯାଇଛି। ଏହାର ଅନେକ ଡାଳ ମଧ୍ୟ ଶୁଖି ଦୁର୍ବଳ ହୋଇପଡ଼ିଛି। ବିଶେଷକରି ଝଡ଼, ବର୍ଷା ଓ ପବନ ସମୟରେ ଶୁଖିଲା ଡାଳଗୁଡ଼ିକ ଭାଙ୍ଗି ରାସ୍ତା ଉପରକୁ ଖସିପଡ଼ିବାର ଆଶଙ୍କା ରହିଛି। ଏହି ରାସ୍ତା ଦେଇ ସଇଁନ୍ତଲା, ଆମପାଲି ଓ ଅନ୍ୟାନ୍ୟ ଅଞ୍ଚଳକୁ ଲୋକମାନେ ଯାତାୟାତ କରୁଥିବାରୁ ଯେକୌଣସି ସମୟରେ ବଡ଼ ଧରଣର ଅଘଟଣ ଘଟିପାରେ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି।ଏହି ବିପଦସଙ୍କୁଳ ଗଛକୁ ହଟାଇବା ପାଇଁ ଘୁନସର ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗ, ଅଗ୍ନିଶମ ବିଭାଗ ଏବଂ ବିଡିଓଙ୍କ ନିକଟରେ ଲିଖିତ ଭାବେ ଅବଗତ କରାଯାଇଥିବା କୁହାଯାଇଛି। ତଥାପି ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଗଛଟି ଉପରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗଛଟି ବିଦ୍ୟାଳୟ ନିକଟରେ ଥିବାରୁ ଛାତ୍ରଛାତ୍ରୀଙ୍କ ଯାତାୟାତ ସମୟରେ ବିଶେଷ ବିପଦ ରହିଛି। ଅସାବଧାନତା କିମ୍ବା ବିଳମ୍ବ ଯୋଗୁଁ ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ ଦାୟୀ କିଏ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ଗଛଟିର ସ୍ଥିତି ଯାଞ୍ଚ କରି ଆବଶ୍ୟକ ହେଲେ ଏହାକୁ ତୁରନ୍ତ କାଟି ହଟାଇବାକୁ ଦାବି ହୋଇଛି। ଏହି ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ନବୀନ ଜୈନ, ଗ୍ରାମ ସରପଞ୍ଚ ଏବଂ ସମ୍ପୃକ୍ତ ସରକାରୀ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ଗ୍ରାମବାସୀଙ୍କ ଦାବି ହେଉଛି, ଯଦି ଶୀଘ୍ର ଗଛଟିକୁ ହଟାଯାଇନଥାଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ସମୂହ ଭାବେ ଆନ୍ଦୋଳନ କରିବେ। ଆବଶ୍ୟକ ପଡ଼ିଲେ ଏନଏଚ୍-୨୬ ରାସ୍ତା ଘେରାଉ କରି ପ୍ରତିବାଦ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ତେଣୁ ଜନସାଧାରଣଙ୍କ ସୁରକ୍ଷା ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଗଛଟିର ଅବସ୍ଥା ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଘୁନସର ଗ୍ରାମବାସୀ ଦାବି କରିଛନ୍ତି।
