କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର(ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନାରାୟଣପ୍ରସାଦ ପଞ୍ଚାୟତସ୍ଥିତ ନବୀନ ପ୍ରସାଦଦେବ କଲେଜ ପରିସରରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ‘ଏକ ପେଡ୍ ମା’ କେ ନାମ’ ଅଭିଯାନ ଅନ୍ତର୍ଗତ ଏକ ବୃହତ ଚାରାରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। କଲେଜ ପରିସରକୁ ସବୁଜ ଓ ସୁନ୍ଦର କରିବା ସହ ପରିବେଶ ସୁରକ୍ଷା ପ୍ରତି ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଅଭିଯାନରେ ପ୍ରାୟ ୭୦୦ଟି ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ନାରାୟଣପ୍ରସାଦ ପଞ୍ଚାୟତର ସରପଞ୍ଚ ତାରାକାନ୍ତି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିବାବେଳେ ସମିତି ସଭ୍ୟ ଜନକ ବାଘ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଥିଲେ। ନାରାୟଣପ୍ରସାଦ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟିକେଲାଲ ମାଝୀ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏହାସହ ନୋଡାଲ ଅଧିକାରୀ ଭୁଲେଶ୍ୱର ନାଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାରାରୋପଣ କାର୍ଯ୍ୟର ତଦାରଖ କରିଥିଲେ। ନବୀନ ପ୍ରସାଦଦେବ କଲେଜର ଅଧ୍ୟକ୍ଷ ହେମନ୍ତ ହେନ୍ନାଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉତ୍ସାହର ସହ ଚାରାରୋପଣ କାର୍ଯ୍ୟରେ ଭାଗ ନେଇଥିଲେ। ଚାରାରୋପଣ ସହିତ ଏହାର ରକ୍ଷଣାବେକ୍ଷଣ ଓ ନିୟମିତ ଯତ୍ନ ନେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ ପାଇଁ କେବଳ ଚାରା ରୋପଣ ନୁହେଁ, ବରଂ ରୋପିତ ଚାରାଗୁଡ଼ିକୁ ବଡ଼ ଗଛରେ ପରିଣତ କରିବା ପର୍ଯ୍ୟନ୍ତ ଯତ୍ନ ନେବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ଓ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। କଲେଜ ପରିସରରେ ଏକାସାଙ୍ଗରେ ୭୦୦ ଚାରା ରୋପଣ ହେବା ଫଳରେ ଅଞ୍ଚଳରେ ସବୁଜିମା ବୃଦ୍ଧି ସହ ପରିବେଶ ସୁରକ୍ଷାର ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନରେ ପ୍ରକୃତି ପ୍ରତି ଭଲପାଇବା ଓ ଦାୟିତ୍ୱବୋଧ ସୃଷ୍ଟି କରିବା ସହ ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସୁସ୍ଥ ଓ ସୁରକ୍ଷିତ ପରିବେଶ ଗଠନରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।
