କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ କ୍ଲଷ୍ଟର ଅଧୀନ ସୌରୀବେଙ୍ଗେସ ପ୍ରକଲ୍ପ ପ୍ରାଥମିକ ବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଗାନ୍ଧୀଜୀଙ୍କ ମହାନ ଆଦର୍ଶ, ସତ୍ୟ, ଅହିଂସା, ଶାନ୍ତି, ଶୃଙ୍ଖଳା ଓ ସେବା ଭାବନାକୁ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିନ୍ତାମଣି ନାଏକ, ସହକାରୀ ଶିକ୍ଷୟିତ୍ରୀ ପଦ୍ମିନୀ ଭୋଇଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଚିନ୍ତାମଣି ନାଏକ ଛାତ୍ରଛାତ୍ରୀଙ୍କୁ ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ଓ ନୀତିଆଦର୍ଶ ସମ୍ପର୍କରେ ଅବଗତ କରାଇବା ସହ ଜୀବନରେ ଅହିଂସାର ମାର୍ଗ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ସତ୍ୟ ଓ ଅହିଂସା ମଣିଷ ଜୀବନକୁ ସୁନ୍ଦର ଓ ଶୃଙ୍ଖଳିତ କରିଥାଏ ବୋଲି ସେ କହିବା ସହ ଛାତ୍ରଛାତ୍ରୀମାନେ ମନଦେଇ ପାଠ ପଢ଼ି ଭବିଷ୍ୟତରେ ଜଣେ ଜଣେ ଆଦର୍ଶ ଓ ଭଲ ମଣିଷ ହେବା ପାଇଁ ଆହ୍ୱାନ ଦେଇଥିଲେ। କେବଳ ପାଠପଢ଼ାରେ ସଫଳତା ହାସଲ କରିବା ନୁହେଁ, ଜୀବନରେ ସତ୍ୟବାଦୀ, ଶୃଙ୍ଖଳିତ, ଦୟାଳୁ ଓ ଦାୟିତ୍ୱବାନ ନାଗରିକ ହେବା ହିଁ ଶିକ୍ଷାର ପ୍ରକୃତ ଲକ୍ଷ୍ୟ ବୋଲି ସେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଗାନ୍ଧୀଜୀଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରି ସମାଜରେ ଶାନ୍ତି, ଭାଇଚାରା ଓ ସହଯୋଗର ବାତାବରଣ ସୃଷ୍ଟି କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ଗାନ୍ଧୀଜୀଙ୍କ ଆଦର୍ଶକୁ ସ୍ମରଣ କରି ନିଜ ଜୀବନରେ ସତ୍ୟ ଓ ଅହିଂସାର ପଥ ଅନୁସରଣ କରିବା ସହ ନିଷ୍ଠାର ସହ ପାଠପଢ଼ି ଜଣେ ଜଣେ ସୁନାଗରିକ ହେବାର ସଂକଳ୍ପ ନେଇଥିଲେ। ବିଦ୍ୟାଳୟରେ ଏଭଳି ଜାତୀୟ ଦିବସ ପାଳନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ନୈତିକତା ଓ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶ ପ୍ରତି ସମ୍ମାନର ଭାବନା ଜାଗ୍ରତ ହେଉଥିବାରୁ ଅଭିଭାବକ ଓ ସ୍ଥାନୀୟ ମହଲରେ ଏହାକୁ ସ୍ୱାଗତ କରାଯାଇଛି।
